ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡରେ ଗତ ଏକ ସପ୍ତାହ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ଜୀବନ ଯାତ୍ରା ବ୍ୟାହତ ହେବା ସହ ଛୋଟ ବଡ଼ ଧରଣର କ୍ଷୟକ୍ଷତି ହେଉଛି । ଏପରି ସ୍ଥଳେ ମଙ୍ଗଳବାର ଅପରାହ୍ନ ରେ ୫୯ନଂ. ଜାତୀୟ ରାଜପଥର ମହାସିଙ୍ଗି ରାସ୍ତା ପାର୍ଶ୍ୱରେ ଥିବା ଏକ ବଡ଼ ବରଗଛ ଉପୁଡି ପଡିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବା ସହ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହୋଇଥିଲା । ରାସ୍ତାର ଦୁଇ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଥିଲା । ଖବର ପାଇବା ପରେ ବିଦ୍ୟୁତ ବିଭାଗ କର୍ମଚାରୀ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ତାର ଓ ରାସ୍ତାରୁ ଗଛ ହଟାଇବା ପରେ ସନ୍ଧ୍ୟାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇପାରିଥିଲା । ସେହିପରି ଦାରିଙ୍ଗବାଡି ବ୍ଲକ ସିମନବାଡି ଅଞ୍ଚଳରେ ବହୁ ୟୁକାଲ ପଟାସ ଗଛ ପଡି ଏକାଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ତାର ଛିଣ୍ଡି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି । ସିମନବାଡି ସମେତ ଶ୍ରାନିକେତା, କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ, ବାଲିଗୁଡା ବ୍ଲକ ଋତୁଙ୍ଗିଆ ଆଦି ୧୦ ପଞ୍ଚାୟତର ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।