ପୁଣି ଏକ ଅଘଟଣ,ମାଲବାହୀ ଟ୍ରେନ୍‌ ମାଡିଯିବାରୁ ୬ ଶ୍ରମିକ ମୃତ

0 57

ଯାଜପୁର: ରାଜ୍ୟରେ ଆଉ ଏକ ଟ୍ରେନ ଅଘଟଣ ଘଟିଛି । ବୁଧବାର ଅପରାହ୍‌ଣରେ ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍‌ରେ ଟ୍ରେନ୍‌ ମାଡିଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଅଘଟଣ ଯୋଗୁଁ ଅନ୍ୟ ୨ ଜଣ ଆହତ ହୋଇଥିବା ଜଣାପଡିଛି । ମୃତାହତଙ୍କ ପରିଚୟ ମିଳିପାରି ନାହିଁ ।
ଆଜି ଅପରାହ୍‌ଣ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡି ତଳେ ଆଶ୍ରୟ ନେଇଥିଲେ । ଷ୍ଟେସନ୍‌ରେ ଠିଆ ହୋଇଥିବା ଟ୍ରେନ୍‌ଟି ଅଳ୍ପ ସମୟ ପରେ ଆଗକୁ ବଢିଥିଲା । ଫଳରେ ଟ୍ରେନ୍‌ର ଚକା ତଳେ ରହି ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୫ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁରରୋଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ୩ଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଗୁରୁତରଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେଣେ ପୂର୍ବତଟ ରେଳ ପକ୍ଷରୁ କହାଯାଇଛି କି, ରେଳ କାର୍ଯ୍ୟ ପାଇଁ ଜଣେ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ନିୟୋଜିତ କେତେକ ଚୁକ୍ତିଭିତ୍ତିକ ଶ୍ରମିକ ଯାଜପୁର-କେନ୍ଦୁଝରରୋଡ ନିକଟରେ ପବନ ଏବଂ ବର୍ଷା ଠାରୁ ରକ୍ଷା ପାଇବା ପାଇଁ ରଖାଯାଇଥିବା ଏକ ମାଲଗାଡି ରେକ୍‌ ତଳେ ଆଶ୍ରୟ ନେଇଥିଲେ । ଆଜି ପ୍ରବଳ ବଜ୍ରପାତ ହେତୁ ଇଞ୍ଜିନ ଲାଗି ନଥିଲେ ବି ରେକ୍‌ ଗଡ଼ିଯାଇଥିଲା । ଏହି ଘଟଣାରେ ୬ ଶ୍ରମିକଙ୍କ ମୃତ୍ୟୁ ପରେ ରେଳବାଇ ଦ୍ୱାରା ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଖୋର୍ଦ୍ଧା ଡିଆରଏମଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯାଜପୁରରୋଡ ଅଞ୍ଚଳକୁ ବିଭିନ୍ନ ଅଞ୍ଚଳରୁ କାମ କରିବା ପାଇଁ ଶ୍ରମିକମାନେ ଆସିଥାନ୍ତି । ଯେଉଁ ଶ୍ରମିକମାନେ ମାଲବାହୀ ଟ୍ରେନ୍‌ ତଳେ ଆଶ୍ରୟ ନେଇ ଦୁର୍ଘଟଣାର ଶିକାର ହୋଇଛନ୍ତି, ସେମାନେ ମଧ୍ୟ କାମ କରିବାକୁ ଆସିଥାଇ ପାରନ୍ତି । ସେମାନେ କାମ ସାରି ଟ୍ରେନ୍‌କୁ ଅପେକ୍ଷା କରିଥିବା ଅନୁମାନ କରାଯାଉଛି । ତେବେ ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ, ଗତ ୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ବାହାନଗା ବଜାରରେ କରମଣ୍ଡଳ ଏକ୍ସପ୍ରେସ୍‌, ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍‌ ଏବଂ ଏକ ମାଲଗାଡି ଦୁର୍ଘଟଣା ଯୋଗୁଁ ମୋଟ ୨୮୮ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହି ମୃତକଙ୍କ ମଧ୍ୟରେ ଓଡିଶାରୁ ୩୯ ଜଣ ଅଛି । ସେହିପରି ଦୁର୍ଘଟଣା କାରଣରୁ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ସେମାନଙ୍କର ମଧ୍ୟରୁ ଅଧିକାଂଶ ଡାକ୍ତରଖାନାରେ ଚିକିତ୍ସା ସେବା ପାଇଲା ପରେ ସୁସ୍ଥ ହୋଇ ଘରକୁ ଯାଇସାରିଛନ୍ତି ।

hiranchal ad1
Leave A Reply

Your email address will not be published.

10 − one =