ଗଛରୁ ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

0 80

ନବରଙ୍ଗପୁର: ଉମରକୋଟ ଥାନା ଅନ୍ତର୍ଗତ ତୋହରା ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ଥିବା ଏକ କୁସୁମ ଗଛରୁ ତିନି ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ଉମରକୋଟ ପୋଲିସ୍‌ ଏବଂ ସାଇଣ୍ଟିଫିକ୍‌ର ତଦନ୍ତ ଆରମ୍ଭ କରିଛି । ତିନି ଜଣକ ମଧ୍ୟରେ ଦୁଇ ଜଣ ନାବାଳିକା ଏବଂ ଜଣେ ବିବାହିତା ବୋଲି ଗ୍ରାମବାସୀ ସୂଚନା ଦେଉଥିବାବେଳେ ପୋଲିସ ସମସ୍ତଙ୍କ ବୟସ ୧୮ ବର୍ଷ ବୋଲି ପ୍ରକାଶ କରିଛି । ସେପଟେ ଘଟଣା ସ୍ଥଳରେ ନବରଙ୍ଗପୁର ଏସପି ପି.ଏସ.ପୁରୁଷୋତ୍ତମ ଦାସ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାପ୍ତ ସୂଚନା ମୁତାବକ ତୋହାରା ଗ୍ରାମର ହେମଲତା ଗୌଡ, କୌଶଲ୍ୟା ମାଝୀ ଏବଂ ଫୁଲମତୀ ମାଝୀ ଗତକାଲି ଅପରାହ୍ନ ୪ ଟା ସମୟରେ ଘରୁ ବାହାରି ନିକଟସ୍ଥ ଜଙ୍ଗଲ ଆଡକୁ ଯାଇଥିଲେ । ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ଖୋଜା ଖୋଜି କରିଥିଲେ ଓ ପରେ ଗ୍ରାମର ଜଣେ ଯୁବକ ଉକ୍ତ ତିନି ଜଣଙ୍କୁ ନିକଟସ୍ଥ ଜଙ୍ଗଲ ଆଡକୁ ଯାଉଥିବା ଦେଖିଥିବା କଥା ଶୁଣି ଗ୍ରାମବାସୀ ଜଙ୍ଗଲ ଆଡକୁ ଯାଇ ଖୋଜିବାରୁ ଏକ କୁସୁମ ଗଛରେ ତିନି ଜଣଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ମୃତକଙ୍କ ମଧ୍ୟରୁ ହେମଲତା ଗୌଡ ବିବାହିତା ହୋଇଥିବାବେଳେ କୌଶଲ୍ୟା ମାଝୀ ଏବଂ ଫୁଲମତି ମାଝୀ ନାବାଳିକା ବୋଲି ଗ୍ରାମବାସୀ ପ୍ରକାଶ କରିଥିବାବେଳେ ଘଟଣା କିଭଳି ଘଟିଲା ସେ ସମ୍ପର୍କରେ କେହି କିଛି ବୁଝିପାରୁ ନଥିବା କହିଛନ୍ତି ପରିବାର ବର୍ଗ । କିନ୍ତୁ କୌଶଲ୍ୟା ତିନି ଦିନ ଧରି ମାନସିକ ଚିନ୍ତାରେ ଥିବାରୁ ଠିକରେ ଖାଉ ନଥିବା ତାଙ୍କ ଭାଉଜ ପଞ୍ଚମି ପ୍ରକାଶ କରିଛନ୍ତି ।
ସେପଟେ ଘଟଣାର ପ୍ରକୃତ ତଦନ୍ତ କରି ଘଟଣାର ସତ୍ୟା ସତ୍ୟ ଦାବି କରିଛନ୍ତି ତୋହରା ଗ୍ରାମର ମୁଖିଆ ତଥା ପୂର୍ବତନ ସରପଞ୍ଚ ଜଳନ୍ଧର ମାଝୀ । ଅନ୍ୟପଟେ ଗତ କାଲି ରାତିରେ ଘଟଣାର ଖବର ପାଇ ଉମରକୋଟ ଏସଡିପିଓ ଦିନେଶ ନାଏକ ଏବଂ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ତୋହରା ଗ୍ରାମକୁ ଆସି ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ।

hiranchal ad1
Leave A Reply

Your email address will not be published.

four × two =