ଡାବୁଗାଁରେ ଓଜେୟୁର ଜିଲ୍ଲା ସ୍ତରୀୟ ବୈଠକ,ସଂଘ ପକ୍ଷରୁ ଦୁର୍ଘଟଣାଜନିତ ବୀମା ଘୋଷଣା

0 124

ନବରଙ୍ଗପୁର:ଡାବୁଗାଁ ବ୍ଲକ ପଞ୍ଚାୟତ ସମିତି ସଭା ଗୃହରେ ଜିଲ୍ଲା (ଓଜେୟୁ) ଓଡ଼ିଶା ସାମ୍ବାଦିକ ସଂଘର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ଶଙ୍କର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଓଜେୟୁ ସଂଘର ରାଜ୍ୟ ସାଧାରଣ ସମ୍ପାଦକ କେ ଶ୍ରୀନିବାସ ରାଓ, ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଶୋଇ, ରାଜ୍ୟ ଉପଦେଷ୍ଟା ରାକେଶ ଗୁପ୍ତା, ଜିଲ୍ଲା ସମ୍ପାଦକ ଯାନକି କାନ୍ତ ବିଶୋଇ ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଭାବେ ସାମ୍ବାଦିକ ମାନେ ଗ୍ରାମାଞ୍ଚଳରୁ ଧରି ସହରାଞ୍ଚଳ ପର୍ଯ୍ୟନ୍ତ ଟିକି ନିଖି ସତ୍ୟ ଖବର ଲୋକଲୋଚନକୁ ଆଣୁଛନ୍ତି, ବିଭିନ୍ନ ଖବର ମାଧ୍ୟମରେ ଲୋକଙ୍କ ସମସ୍ୟା ସବୁ ଲୋକଲୋଚନକୁ ଆସି ପାରୁଛି, ସାମ୍ବାଦିକ ମାନେ ନିର୍ଭୀକ ରହିବା ସହ ସଦାବେଳେ ସତ୍ୟ ଖବର ପରିବେଷଣ କରନ୍ତୁ ବୋଲି କହିଥିଲେ । ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଦେଶ ସ୍ୱାଧୀନତା ପୂର୍ବ ଓ ପରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିବା କହିଥିଲେ । ରାଜ୍ୟ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ବିଧାୟକଙ୍କୁ ରାଜ୍ୟ ସରକାରଙ୍କ ପାଖରେ ଏହାର ଦୃଷ୍ଟି ଆକର୍ଷଣ କରିବା ପାଇଁ କହିଥିଲେ । ରାଜ୍ୟ ଓଜେୟୁ ସାଧାରଣ ସମ୍ପାଦକ କେ. ଶ୍ରୀନିବାସ ରାଓ ସାଂଗଠାନିକ ସୁଦୃଢ଼ତା ଉପରେ ଗୁରୁତ୍ୱାରୋପ କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ଅଧିକାର ପାଇଁ ସଂଘ କାର୍ଯ୍ୟ କରିବ ବୋଲି କହିଥିଲେ । ଓଜେୟୁର ସମସ୍ତ ସାମ୍ୱାଦିକ ମାନଙ୍କ ପାଇଁ ବିନା ଶୁଳ୍କରେ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାର ଦୁର୍ଘଟଣା ଜନିତ ବୀମା କରାଯିବ ବୋଲି ଜିଲ୍ଳା ସଭାପତି ଘୋଷଣା କଲେ । ଏହି ଅବସରରେ ବିଭିନ୍ନ ବ୍ଲକର ମିହିର ଶଙ୍କର ପାତ୍ର, ଗଗନ ଗନ୍ତାୟତ ଓ ଅନ୍ୟାନ୍ୟ ନୂତନ ୧୭ଜଣ ସାମ୍ବାଦିକ ଓଜେୟୁ ସଂଘରେ ଯୋଗ ଦାନ କରିଥିଲେ । ସେମାନଙ୍କୁ ସଂଘ ତରଫରୁ ଉତ୍ତରୀୟ ଓ ଫୁଲମାଳ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ଡାବୁଗାଁର ବରିଷ୍ଠ ସାମ୍ବାଦିକ ଦିବାନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ଏମ ଆପ୍ପା ରାଓ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ ଓ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଯି. ସାଇରାଜ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

thirteen + thirteen =