କଳିଙ୍ଗା ପଞ୍ଚାୟତ ଅଞ୍ଚଳରେ ୬ ଦିନ ହେଲା ହାତୀ ଆତଙ୍କ

0 45

ଘୁ ଉଦୟଗିରି:ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡର ରମ୍ଭା ସେକ୍ସନରୁ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସନ କୁରୁମିଙ୍ଗିଆ ଜଙ୍ଗଲକୁ ୧୭ଗୋଟି ମାଈ, ଅଣ୍ଡିରା ଏବଂ ଛୁଆ ହାତୀପଲ ଗତ ଛଅ ଦିନ ହେଲା ପଶି ଆସିବା ପରେ କଳିଙ୍ଗା, କୁରୁମିଙ୍ଗିଆ,ସୁଜେଲି, ନନ୍ଦଗିରି, ଦୁଗୁଡିପାରି ପ୍ରଭୁତି ଗ୍ରାମବାସୀଙ୍କ ନିଦ ହଜିଆଯାଇଛି । ଏହାସହ ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କ ଆଖିରେ ନିଦ ନାହିଁ । ଦିନ ରାତି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ହାତୀଙ୍କୁ ଘଉଡେଇବା ଉଦ୍ୟମ ଜାରି ରଖିଥିଲେ ମଧ୍ୟ, ହାତୀପଲଙ୍କ ପାଟିରେ କନ୍ଧମାଳ ଜଙ୍ଗଲର ସୁଆଦିଆ ଆମ୍ବ, ପଣସ ,ଏବଂ କଦଳୀ ଭଳି ସୁସ୍ୱାଦୁ ଖାଦ୍ୟ ମିଳୁଛି । ଏଣୁ ଏ ଜଙ୍ଗଲରୁ ସେ ଜଙ୍ଗଲ ବୁଲିବା ସହ ବ୍ୟାପକ ଫସଲ କ୍ଷତି କରିବା ଏବଂ ଘରଦ୍ୱାର ଭାଙ୍ଗିବାରେ ଲାଗିଥିବା ବେଳେ ଗତକାଲି ହାତୀପଲ କୁରୁମିଙ୍ଗିଆ ନିକଟ ରାଇପଦା ନିକଟ ଜଙ୍ଗଲରେ ଥିବା ବେଳେ ବନ ଅଧିକାରୀ ଏବଂ ବନବିଭାଗ କର୍ମଚାରୀ ରାତିତମାମ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିଲେ । ହେଲେ ଆଜି ହାତୀପଲ ଦୁଇଭାଗ ହୋଇଯାଇଥିବା ସୂଚନା ମିଳିଛି । ଗୋଟିଏ ଦଳ ରେଟୁଡି ଜଙ୍ଗଲ ଦେଇ ଉତ୍ତର ଘୁମୁସର ଜଙ୍ଗଲ ସୀମାରେ ପ୍ରବେଶ କରିଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । ରେଟୁଡି ଜଙ୍ଗଲରୁ ଉତ୍ତର ଘୁମୁସର ଜଙ୍ଗଲ ପର୍ଯ୍ୟନ୍ତ ହାତୀପଲଙ୍କ ପାଦ ଚିହ୍ନ ରହିଥିବା ଏବଂ ମଳ ପଡିଥିବା ଦେଖିବା ପରେ ସ୍ପଷ୍ଟ କରିଥିଲେ ଦଳେ କନ୍ଧମାଳ ଜଙ୍ଗଲ ଛାଡି ନିଜ ଅଞ୍ଚଳକୁ ଫେରିଛନ୍ତି । କିନ୍ତୁ ଅନ୍ୟ ଏକ ଦଳ ହାତୀପଲ ବର୍ତ୍ତମାନ ସୁଦ୍ଧା ରାଇପଦା ଦୁଗୁଡିପାରି ମଧ୍ୟ ଜଙ୍ଗଲରେ ଅଛନ୍ତି । ଏଣୁ ବନବିଭାଗ ଏବଂ ବିଦ୍ୟୁତ ବିଭାଗ ପକ୍ଷରୁ ମିଳିତ ଭାବେ ଜଙ୍ଗଲ ଭିତରେ ପେଟ୍ରୋଲିଂ ଚାଲିଛି । ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ ଠାରୁ ସୁରକ୍ଷା ଦେବା ନିମନ୍ତେ ଯେଉଁ ଜଙ୍ଗଲରେ ବିଦ୍ୟୁତ ସଂଯୋଗ ପୋଲ ତାର ଅଛି ହାତୀଙ୍କ ଯାତାୟତ ଯଦି ହେଉଛି ତାହାହେଲେ ବିଦ୍ୟୁତ କାଟି ଦିଆଯାଉଛି । ଗତ ୫ଦିନ ଧରି କୁରୁମିଙ୍ଗିଆ,କଳିଙ୍ଗା ଦୁଗୁଡିପାରି ଏବଂ ଏହାର ଆଖପାଖ ଅଞ୍ଚଳର ବିଦ୍ୟୁତ ସଂଯୋଗ ବନ୍ଦ କରାଯିବା ଯୋଗୁଁ ସାଧାରଣ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ହାତୀଙ୍କ ପାଇଁ ଗାଁର ଯୁବଗୋଷ୍ଠୀ ସାରା ରାତି ଉଜାଗର ରହି ହାତୀ ଘଉଡାଇବାରେ ଲାଗି ପଡିଛନ୍ତି ।

hiranchal ad1
Leave A Reply

Your email address will not be published.

three + eight =