ତିନିଜଣ କାଠ ବିକାଳି ମହିଳାଙ୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍; ଜଣେ ମୃତ, ଦୁଇ ଗୁରୁତର

0 172

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଡାଗୁଡ଼ାରେ ଦୁର୍ଘଟଣା । ତିନିଜଣ କାଠ ବିକାଳି ଆଦିବାସୀ ମହିଳାଙ୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ମୃତକ ବୁଡାଗୁଡ଼ା ନିକଟସ୍ଥ ଅଡାବାଲି ଗ୍ରାମର ଆଲଜିନୀ ପ୍ରଧାନ ହୋଇଥିବା ବେଳେ ଗୁରୁତର ଦୁଇ ମହିଳା ଅଡାବାଲି ରଜନୀ ପ୍ରଧାନ ଓ ରମନ୍ତି ପ୍ରଧାନ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଗୁରୁତର ଆହତ ତିନିଜଣ ମହିଳାଙ୍କୁ ପରିବାର ଲୋକେ ବୁଡାଗୁଡ଼ାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଏକ ଘରୋଇ ଗାଡ଼ିରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ବାଲିଗୁଡ଼ାରେ ଚିକିତ୍ସାଧୀନ ଅବସ୍ଥାରେ ଅତି ଗୁରୁତର ଥିବା ଆଲଜିନୀ ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେପଟେ ରମନ୍ତି ପ୍ରଧାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର । ସେପଟେ ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ ଭ୍ୟାନ୍ କୁ ଅଟକ ରଖିଛନ୍ତି ଅଞ୍ଚଳବାସୀ । ସୂଚନା ପ୍ରକାରେ ଗତକାଲି ଅପରାହ୍ନରେ ଅଡାବାଲି ଗ୍ରାମର କିଛି ଆଦିବାସୀ ମହିଳା ବୁଡାଗୁଡ଼ା ଗ୍ରାମକୁ ଜାଳେଣି କାଠ ବିକ୍ରି କରିବାକୁ ଆସିଥିଲେ । କାଠ ବିକ୍ରି ପରେ ରାସ୍ତା କଡ଼ରେ ଠିଆ ହୋଇ ପରସ୍ପର ମଧ୍ୟରେ ଟଙ୍କା ଭାଗ ବଣ୍ଟା କରୁଥିବା ବେଳେ ହଠାତ୍ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଆସି ଧକ୍କା ଦେଇଥିଲା ମହିଳାଙ୍କୁ । ଦୁର୍ଘଟଣାରେ ଜଣେ ବୃଦ୍ଧ ସାମାନ୍ୟ ଆହତ ହୋଇଥିବା ବେଳେ ତିନିଜଣ ମହିଳା ଗୁରୁତର ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ଖବରପାଇ ବାଲିଗୁଡ଼ା ପୋଲିସ୍ ଉପଖଣ୍ଡ ଚିକିତ୍ସାଳୟରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ସମ୍ପୃକ୍ତ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୋଲିସ୍ ।

hiranchal ad1
Leave A Reply

Your email address will not be published.

15 + 8 =