ଫୁଲବାଣୀ :ଜିଲ୍ଲା ପ୍ରେସକ୍ଲବ ଫୁଲବାଣୀର ଦ୍ୱିବାର୍ଷିକ ସମ୍ମିଳନୀ ଓ ନୁତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ପୁନଃର୍ବାର ସୁନୀଲ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ପୁନର୍ବାର ଅଶୋକ ପରିଡା ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ସୂର୍ଯ୍ୟନାରାୟଣ ବେହେରା ଓ ବିମଳ ନାୟକ ମନୋନୀତ ହୋଇଥିବା ବେଳେ,ସାଧାରଣ ସମ୍ପାଦକ ଭାବେ ବିରେନ୍ଦ୍ର ସୁବୁଦ୍ଧି ଅପ୍ରତିଦ୍ୱନ୍ଦୀ ଭାବରେ ନିର୍ବାଚିତ ହୋଇଛନ୍ତି । ସେହିପରି ସହସମ୍ପାଦକ ଭାବେ ଜୟସେନ୍ ପରିଡା ନିର୍ବାଚିତ ହୋଇଛନ୍ତି । ଆଜି ଫୁଲବାଣୀ ପ୍ରେସକ୍ଳବର ସଭାଗୃହରେ ଅନୁଷ୍ଠିତ ଏହି କର୍ମକର୍ତ୍ତା ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ମହାନ୍ତି ନିର୍ବାଚନ ପରିଚାଳନା କରିଥିବା ବେଳେ ତାଙ୍କ ସହଯୋଗୀ ଭାବେ ସନ୍ତୋଷ କୁମାର ଦିଗାଲ ସହାୟତା କରିଥିଲେ । ଗତ ୩ ତାରିଖରେ ପ୍ରେସକ୍ଳବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଭାପତି ସୂନୀଲ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଗତ ଦୁଇ ବର୍ଷ ମଧ୍ୟରେ ପ୍ରେସକ୍ଳବରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । ପରେ ନୁତନ କର୍ମକର୍ତ୍ତା ନିର୍ବାଚନ ପାଇଁ ୧୦ ତାରିଖ ଅର୍ଥାତ୍ ଆଜି ଦିନକୁ ଧାର୍ଯ୍ୟ ହେବା ସମେତ ନିର୍ବାଚନ ପରିଚାଳନା କରିବା ପାଇଁ ଉପରୋକ୍ତ ଦୁଇଜଣ ବରିଷ୍ଠ ସାମ୍ବାଦିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଆଜି ଅନୁଷ୍ଠିତ ନିର୍ବାଚନରେ ସଭାପତି ପଦ ପାଇଁ ପ୍ରଥମ ଥର ଭୋଟ ଗ୍ରହଣ ହୋଇଥିଲା । ଏଥିରେ ସୁନୀଲ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ଭାବରେ ଅଜିତ କୁମାର ମହାରଣା,ସୁଜିତ କୁମାର ବେହେରା,ସୁନୀଲ ବିଶ୍ୱାଳ ଓ ବ୍ରଜବିହାରୀ ନନ୍ଦଙ୍କ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ପରେ ସୁଜିତ ବେହେରା ଓ ସୁନୀଲ ବିଶ୍ୱାଳ ତାଙ୍କର ପ୍ରାର୍ଥିତ୍ୱକୁ ପ୍ରତ୍ୟାହାର କରିଥିଲେ । ଅବଶିଷ୍ଠ ତିନି ଜଣଙ୍କ ମଧ୍ୟରେ ନିର୍ବାଚନ ହୋଇଥିଲା । ଏଥିରେ ସୁନୀଲ ପଟ୍ଟନାୟକ ୨୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ଥର ପାଇଁ ସଭାପତି ହୋଇଥିବାବେଳେ, ଅଜିତ ମହାରଣା ୧୨ ଟି ଓ ବ୍ରଜବିହାରୀ ନନ୍ଦ ଗୋଟିଏ ଭୋଟ ପାଇ ଥିଲେ । ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଗାମୀ ଦୁଇବର୍ଷ ପାଇଁ ପ୍ରେସକ୍ଳବର ଉନ୍ନତି ଓ ସାମ୍ବାଦିକ ମାନଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।