ଫୁଲବାଣୀରେ ଜାଳେଣି ଗ୍ୟାସ୍ କଳାବଜାରୀ ରୋକିବାକୁ ଧରପଗଡ, ଜନବସତି ଅଂଚଳର ଘରେ ଗଚ୍ଛିତ ୪୯ଟି ସିଲିଣ୍ଡର ଜବତ

0 321

ଫୁଲବାଣୀ୧୬। ୪ : ଫୁଲବାଣୀ ରେ ଜାଳେଣି ଗ୍ୟାସ୍ ସିଲିଣ୍ଡର କଳା ବଜାରି ଜୋରସୋରରେ ଚାଲିଛି। ଗ୍ୟାସ୍ ଏଜେନ୍ସି ମାନଙ୍କ ପାଖରୁ ସିଲିଣ୍ଡର ଆଣି ନିଜ ଘରେ ଗଛିତ ରଖି ଚଢା ଦରରେ ବିକ୍ରି କରୁଥିବା ଜଣେ କଳା ବଜାରି ର ଘରେ ତଲାସି କରି ୪୯ ଟି ସିଲିଣ୍ଡର ଜବତ କରିଛି ଜିଲ୍ଲା ଖାଉଟି ଜୋଗାଣ ବିଭାଗ। ଆଜି କନ୍ଧମାଳ ଜିଲ୍ଲାପାଳ ଅମୃତ ରୁତୁରାଜଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢାଉ କରିଛି ଖାଉଟି ଜୋଗାଣ ବିଭାଗ। ଜିଲ୍ଲା ଖାଉଟି ଜୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ରଙ୍କ ନେତୃତ୍ବରେ,ଫୁଲବାଣୀ ନାରାୟଣୀ ସାହିର ସରୋଜ ଚନ୍ଦ୍ର ସାହୁଙ୍କ ଘରେ ଚଢାଉ କରାଯାଇ ସମୁଦାୟ ୪୯ଟି ସିଲିଣ୍ଡର ଜବତ କରାଯାଇଛି। ସେଥିରୁ ୨୫ଟି ରେ ଗ୍ୟାସ୍ ଭର୍ତ୍ତି ହୋଇଥିବା ବେଳେ ଆଉ ୨୪ଟି ଖାଲି ସିଲିଣ୍ଡର ଜବତ କରାଯାଇଛି। ସେଥିରୁ ୨୬ଟି କମର୍ସିଆଲ, ଆଉ ୨୩ଟି ଘରୋଇ ସିଲିଣ୍ଡର ରହିଥିବା ନେଇ ଜିଲ୍ଲା ଖାଉଟି ଜୋଗାଣ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଚଢାଉ ଅଭିଯାନ ରେ ସହକାରୀ ଜୋଗାଣ ଅଧିକାରୀ ପି. ଭାର୍ଗବୀ ଏବଂ ଜୋଗାଣ ନିରୀକ୍ଷକ ସ୍ବର୍ଣ୍ଣମୟୀ ବିଶ୍ଵାଳ,ଅଞ୍ଜନ କୁମାର ଦିଗାଲ ଏବଂ ସଞ୍ଚୟ ଦାସ ସାମିଲ ଥିଲେ। ଜବତ ସିଲିଣ୍ଡର ଗୁଡିକୁ ନିକଟସ୍ଥ ଗ୍ୟାସ୍ ଏଜେନ୍ସି ର ଜିମାରେ ଦେଇ ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏକ ବିପୁଳ ଜନବସତି ଅଞ୍ଚଳରେ ଜଣେ ବ୍ୟକ୍ତି ଅସୁରକ୍ଷିତ ଭାବରେ ଏହି ସିଲିଣ୍ଡର ସବୁ ଗଛିତ ରଖି ଲଗାତାର ଭାବେ କଳା ବଜାରି କରି ଚଢା ଦରରେ ବିକ୍ରି କରୁଥିଲା। ଏହି ଅବସରରେ ଯେ କୌଣସି ସମୟରେ ଦୁର୍ଘଟଣା ଘଟି ଥିଲେ ଅନେକ ଧନ ଜୀବନ ହାନି ଘଟିବାର ଆଶଙ୍କା ରହିଛି। ସୂଚନା ଯୋଗ୍ୟ କିଛି ବର୍ଷ ପୂର୍ବରୁ ଫୁଲବାଣୀ ବ୍ରାହ୍ମଣ ସାହି ରେ ଏହିଭଳି ଜଣେ ଗ୍ୟାସ୍ କଳା ବଜାରିଙ୍କ ଘରେ ଗଛିତ ଥିବା ସିଲିଣ୍ଡର ରେ ନିଆଁ ଲାଗି ବିଷ୍ଫୋରଣରେ ଜଣଙ୍କର ଜୀବନ ହାନି ଘଟିଛି ଓ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ। ବର୍ତ୍ତମାନ ଫୁଲବାଣୀ ରେ ରନ୍ଧନ ଗ୍ୟାସ୍ ସଠିକ୍ ଭାବେ ଯୋଗାଣ ହେଉ ନାହିଁ। ଫଳରେ ଲୋକେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ଘରକୁ ଆଣି ଗ୍ୟାସ୍ ଯୋଗାଇ ଦେବା ପାଇଁ କୌଣସି ଅଧିକ ଟଙ୍କା ନେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିବା ବେଳେ ଯୋଗାଣ କାରୀ ବ୍ୟକ୍ତି ଅଧିକ ୩୦ ଟଙ୍କା ଲେଖାଏଁ ସିଲିଣ୍ଡର ପିଛା ନେଉଥିବା ନେଇ ଅଭିଯୋଗ ହେଉଛି। ଏହି ବାବଦରେ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଦାବି ହେଉଛି।

hiranchal ad1
Leave A Reply

Your email address will not be published.

three × 5 =