ପୁରୀ : ନୂଆ ରୂପ ରଙ୍ଗରେ ଝଲସୁଛି ଶ୍ରୀକ୍ଷେତ୍ର । ପୁରୀ ସହରର ପ୍ରମୁଖ ରାସ୍ତା ସହିତ ସାହି ଭିତରେ ଥିବା ବିଭିନ୍ନ କାନ୍ଥ ଗୁଡ଼ିକରେ ଅଙ୍କା ଚାଲିଛି ଆକର୍ଷଣୀୟ ପାରମ୍ପରିକ ଚିତ୍ରକଳା । ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକମାଳାରେ ଝଲସୁଛି ଜଗନ୍ନାଥ ଧାମ୍ । ଆଗାମୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ହେବାକୁ ଥିବାବେଳେ ଏଥିପାଇଁ ପୁରୀ ସହରକୁ ନବବଧୂ ଭଳି ସଜାଯାଉଛି । ପାରମ୍ପରିକ ଆଦିବାସୀ ସଂସ୍କୃତି, ଓଡ଼ିଶୀ, ପାରମ୍ପରିକ ବାଦ୍ୟ, ବିଭିନ୍ନ ଆକର୍ଷଣୀୟ ଫୁଲ, ପଶୁପକ୍ଷୀଙ୍କ ଆକର୍ଷଣୀୟ ଚିତ୍ର ଦେଖିବାକୁ ମିଳୁଛି ପୁରୀ ସହରର ପ୍ରମୁଖ ରାସ୍ତା ଏବଂ ସାହି ଭିତରେ ଥିବା କାନ୍ଥ ଗୁଡ଼ିକର । ସେହିପରି ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଥିବା ବ୍ରିଟିଶ ଅମଳର ପୁରାତନ ପାଣି ଟାଙ୍କିରେ କାଞ୍ଚି ଅଭିଯାନର କାହାଣୀ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶୀତ କରାଯାଇଛି । ସେହିପରି ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ପୁରୀ ସହର । ସହରର ପ୍ରବେଶ ପଥ ଐତିହ୍ୟ ଅଠରନଳା, ଭିଆଇପି ରୋଡ଼, ସମୁଦ୍ର କୂଳ ସମେତ ସହରର ବିଭିନ୍ନ ରାସ୍ତା ଏବେ ଏଲ୍ଇଡି ଲାଇଟରେ ଆକର୍ଷଣୀୟ ଭାବେ ଝଲସୁଛି । ତେବେ ଏଭଳି ଆକର୍ଷଣୀୟ ପାରମ୍ପରିକ ଚିତ୍ରକଳା ଏବଂ ରଙ୍ଗୀନ ଆଲୋକମାଳା ଦେଖି ପୁରୀ ଆସୁଥିବା ଭକ୍ତ, ପର୍ଯ୍ୟଟକଙ୍କ ସହ ସହରବାସୀ ମଧ୍ୟ ବେଶ୍ ଆନନ୍ଦିତ ହେଉଛନ୍ତି ।
ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶେଷ ପ୍ରସ୍ତୁତି କରାଯାଉଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଯଜ୍ଞ ମଣ୍ଡପ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ୍ ହେବା ପାଇଁ ଓଡ଼ିଶାର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ସହ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ସେପଟେ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀ ପୌରାଞ୍ଚଳରେ ଆଜିଠାରୁ ପରିକ୍ରମା କରିଛି ଅର୍ପଣ ରଥ । ବିଭିନ୍ନ ସାହିକୁ ବୁଲି ଏହି ଅର୍ପଣ ରଥ ଭକ୍ତଙ୍କ ଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରୁଛି । ଭକ୍ତ ତଥା ଜଗନ୍ନାଥ ପ୍ରେମୀ ମାନେ ମଧ୍ୟ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରୁଥିବା ବେଳେ ଆନନ୍ଦରେ ଗୁଆ ଏବଂ ଅରୁଆ ଚାଉଳ ଅର୍ପଣ କରୁଛନ୍ତି । ତେବେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ବେଳେ ପୁରୀ ସହରବାସୀ ସେହି ସମୟରେ ଯେଭଳି ଯାତାୟତରେ ଅସୁବିଧା ନ ଭୋଗନ୍ତି, ବିଶେଷ କରି ଆମ୍ବୁଲାନ୍ସ ଯାତାୟତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଉପରେ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ ବୋଲି ବରିଷ୍ଠ ସେବାୟତ ଅନୁରୋଧ କରିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନକୁ ନେଇ ପୁରୀ ସହର ଏବେ ଚଳଚଞ୍ଚଳ ହୋଇପଡିଥିବା ବେଳେ ଏକ ଉତ୍ସବର ପରିବେଶ ସୃଷ୍ଟି ହେବାକୁ ଲାଗିଛି । ତେବେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଯେତିକି ପାଖୋଉଛି ସେହି ଦିବ୍ୟ ଓ ଭବ୍ୟ ମୁହୂର୍ତ୍ତକୁ ଦର୍ଶନ କରିବା ପାଇଁ ଜଗନ୍ନାଥ ପ୍ରେମୀ ଏବେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post