ପୁରୀରେ କଂଗ୍ରେସର ବିଶାଳ ସମାବେଶ

0 67

ପୁରୀ : ପୁରୀରେ କଂଗ୍ରେସର ବିଶାଳ ସମାବେଶ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ତୁରନ୍ତ ଖୋଲିବା,ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ଓ ମରାମତି କରିବା ଦାବିରେ ରଣହୁଙ୍କାର ଦିଆଯାଇଛି । ମରିଚିକୋଟ ଛକରେ ପୋଲିସ ବ୍ୟାରିକେଡ଼ କରି ଅଟକାଇବାରୁ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିଥିଲେ କଂଗ୍ରେସ ନେତା ଓ କର୍ମୀ । ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଧସେଇ ପଶି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବୀ ପତ୍ର ଦେଇଛନ୍ତି ।
ସାଧାରଣ ନିର୍ବାଚନ ପୂର୍ବରୁ ଦୀର୍ଘ ଦିନ ପରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୪ ଟି ପ୍ରମୁଖ ପ୍ରସଙ୍ଗକୁ ନେଇ ରଣହୁଙ୍କାର ଦିଆଯାଇଛି । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ତୁରନ୍ତ ଖୋଲିବା ,ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ଓ ମରାମତି କରିବା,ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ସହ ପ୍ରଜାଙ୍କ ନାଁରେ ରେକର୍ଡ ଓ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ସମ୍ପତ୍ତି ବେଦାନ୍ତ ମାଲିକାନାରୁ ପ୍ରଜାଙ୍କ ନାମରେ ମାଲିକାନା କରିବା ସହ ୬ ଟି ଦାବିରେ କଂଗ୍ରେସ ଆଜି ବିଶାଲ ସମାବେଶ କରିଥିଲା । ଶରଧାବାଲିଠାରେ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଧାୟକ, ପୂର୍ବତନ ବିଧାୟକ,ଯୁବ ,ଛାତ୍ର ,ମହିଳା କଂଗ୍ରେସ ଓ ସେବାଦଳର କର୍ମୀ ମାନେ ଏକଜୁଟ ହୋଇଥିଲେ ।ମୁକ୍ତାକାଶ ରଙ୍ଗମଞ୍ଚରେ ସଭା ପରେ ଶୋଭାଯାତ୍ରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା ।ତେବେ ମରିଚିକୋଟ ଛକରେ ପୋଲିସ ବ୍ୟାରିକେଡ଼ କରି ଅଟକାଇବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ମହାଧର୍ମିକ କାର୍ତ୍ତିକ ମାସ ଆସୁଥିବାରୁ ପୁରୀରେ ହବିଶ୍ୟାଳୀ ସହ ଭକ୍ତଙ୍କ ଅସମ୍ଭବ ଭିଡ ହେବ ।ଏହା ପୂର୍ବରୁ ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବାକୁ କଂଗ୍ରେସ ଦଳ ଦାବୀ କରିଛି । ପ୍ରବଳ ଭିଡ ଯୋଗୁଁ ଦିବ୍ୟାଙ୍ଗ ,ମହିଳା, ବୃଦ୍ଧବୃଦ୍ଧା ନାହିଁ ନଥିବା ହଇରାଣ ଭୋଗ କରୁଛନ୍ତି ।ଯାତ୍ରୀ ପରିକ୍ରମା ମାର୍ଗ ସରିବା ପୂର୍ବରୁ ଏହି ଚାରି ଦ୍ୱାର ଖୋଲାଯାଇ ବ୍ୟବସ୍ଥା କରାଯାଉ । ସେହିପରି ସାଢେ଼ ଚାରି କରି ଓଡିଆଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ତୁରନ୍ତ ଖୋଲି ରତ୍ନ ଅଳଙ୍କାର ଯାଞ୍ଚ ଓ ଗଣତି କରିବାକୁ ଦାବୀ ହୋଇଛି ।
ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ,ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଗଣେଶ୍ୱର ବେହେରା ପ୍ରମୁଖ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

four × 3 =