ବାଲିଗୁଡ଼ା: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସାରା ରାଜ୍ୟର ଗଳି କନ୍ଦିରେ ବୁଲୁଛି ଅର୍ପଣ ରଥ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ୧୪ ପଞ୍ଚାୟତରେ ବୁଲୁଛି ଅର୍ପଣ ରଥ । ଅଞ୍ଚଳବାସୀ ଅର୍ପଣ ରଥକୁ ବନ୍ଦାପନା କରିବା ସହ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରୁଛନ୍ତି । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ଅଞ୍ଚଳ । ଜଗତର ନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ଅର୍ପଣ କରି ଭାବ ବିହ୍ୱଳ ହୋଇପଡ଼ୁଛନ୍ତି ଶ୍ରଦ୍ଧାଳୁମାନେ । ଆଜି ବାରଖମା ଗାଁ ଧବଳେଶ୍ୱର ମହାଦେବଙ୍କ ମନ୍ଦିର ନିକଟରୁ ପୂଜାର୍ଚ୍ଚନା କରି ସାଂସଦ ପ୍ରତିନିଧି ଟୁନା ଦାସ, ବିଧାୟକ ଚକ୍ରମଣୀ କହଁର, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣା, ବାଲିଗୁଡ଼ା ବିଡ଼ିଓ ଅଚ୍ୟୁତାନନ୍ଦ ଜାନୀଙ୍କ ସମେତ ଶତାଧିକ ଜଗନ୍ନାଥ ପ୍ରେମୀ ବିଶାଳ ନାମ ସଂକୀର୍ତ୍ତନ ଶୋଭାଯାତ୍ରାରେ ବାହାରି ବାରଖମା ଓ ରେବିଙ୍ଗିଆ ପଞ୍ଚାୟତର ସମସ୍ତ ୱାର୍ଡ ପରିକ୍ରମା କରିଛନ୍ତି । ଦୂରରେ ଥାଇ ମହାପ୍ରଭୁଙ୍କ ନିକଟକୁ ଗୁଆ ଓ ଅରୁଆ ଚାଉଳ ପଠାଇ ବେସ୍ ଆତ୍ମ ସନ୍ତୁଷ୍ଟି ଲାଭ କରିଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହା ଐତିହାସିକ ପଦକ୍ଷେପ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାରା ବିଶ୍ୱ ଦେଖିବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗାଁ ଠୁ ସହର ସବୁଠି ବୁଲୁଛି ଅର୍ପଣ ରଥ । ଏହା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ପଠାଇ ପାରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ବାଲିଗୁଡ଼ା ବିଧାୟକ, ସାଂସଦ ପ୍ରତିନିଧି, ପର୍ଯ୍ୟବେକ୍ଷକ ଓ ଅଞ୍ଚଳବାସୀ ।