ଦୁର୍ଘଟଣାରେ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା,
ପୋଲିସର କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ରାସ୍ତାରୋକ

0 617

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଗତକାଲି ସନ୍ଧ୍ୟା ସମୟରେ ଘଟିଥିଲା ସିରିଜ୍‌ ଦୁର୍ଘଟଣା । ଜଣେ ନିଶାସକ୍ତ ଯୁବକ ମୋଟରସାଇକେଲ ଦ୍ୱାରା ସିରିଜ୍‌ ଦୁର୍ଘଟଣା ଘଟାଇଥିଲା । ଫଳରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ବାଲିଗୁଡ଼ା ସୁନାପାଙ୍ଗା ସାହିର ସୀମାଞ୍ଚଳ ସାହୁ । ଗତକାଲି ସନ୍ଧ୍ୟା ସମୟରେ ସୀମାଞ୍ଚଳ ତାଙ୍କର ଜଣେ ସାଙ୍ଗ ସହ ରେଭିନ୍ୟୁ ବଙ୍ଗଳା ନିକଟସ୍ଥ ରାସ୍ତା କଡ଼ରେ ଥିବା ଏକ ଜଳଖିଆ ଦୋକାନ ସାମ୍ନାରେ ଜଳଖିଆ ଖାଉଥିବା ସମୟରେ ଦୃତ ଗତିରେ ଆସି ମୋଟରସାଇକେଲ ଧକ୍କା ଦେଇଥିଲା ସୀମାଞ୍ଚଳଙ୍କୁ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ ବହୁ ଉଠା ଦୋକାନୀ ଆଡ୍ଡା ଜମାଇଥିବା ବେଳେ ସହର ମଧ୍ୟରେ ଯୁବକମାନେ ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଏଥିପ୍ରତି ପୋଲିସ୍‌ ଓ ପ୍ରଶାସନ ଗୁରୁତ୍ୱ ଦେବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଞ୍ଚଳବାସୀ ସ୍ଥାନୀୟ ଗାନ୍ଧୀ ଛକ ଠାରେ ରାସ୍ତା ଅବରୋଧ କରିଥିଲେ ।
ବାଲିଗୁଡ଼ା ଏନ୍‌ଏସି ଓ ପ୍ରଶାସନର ଏ ଦିଗରେ ହସ୍ତକ୍ଷେପ କରିବା ପରେ ରାସ୍ତାରୋକ ହଟିଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ସହରର ରାସ୍ତା କଡ଼ରୁ ଉଠା ଦୋକାନ ଉଚ୍ଛେଦ,ମଦ୍ୟପ ଚାଳକ ଓ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବା ଓ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଦୀର୍ଘ ଚାରିଘଣ୍ଟା ଧରି ୫୯ ନଂ ଜାତୀୟ ରାଜପଥ ବାଲିଗୁଡ଼ା ଗାନ୍ଧୀ ଛକରେ ମୃତକଙ୍କ ଶବ ରଖି ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ ସାହୁ, ପ୍ରଶାସନିକ ଅଧିକାରୀଙ୍କ ସମେତ ସାଂସଦ ପ୍ରତିନିଧି ଟୁନା ଦାସ ଓ ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେବା ସହ ମୃତକଙ୍କ ପରିବାରକୁ ଥଇନାନ କରାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ ହଟିଲା ରାସ୍ତାରୋକ ।

hiranchal ad1
Leave A Reply

Your email address will not be published.

7 + 8 =