ଆରମ୍ଭ ହେଲା ରଥଭଙ୍ଗା କାର୍ଯ୍ୟ

0 69

ପୁରୀ : ଆଜିଠୁ ଆରମ୍ଭ ହୋଉଛି ରଥଭଙ୍ଗା କାର୍ଯ୍ୟ । ନିଳାଦ୍ରିବିଜେ ପରେ ଶ୍ରୀହୀନ ହୋଇପଡିଥିଲେ ତିନି ରଥ । ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ରଥଭଙ୍ଗା କାର୍ଯ୍ୟ । ନିୟମ ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗା କାମ ଆରମ୍ଭ ହୋଇଛି । ଏହାପରେ ତାଳଧ୍ୱଜ ରଥ ଭଙ୍ଗାଯିବ । ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବାର ପରମ୍ପରା ରହିଛି । ଭୋଇ ସର୍ଦ୍ଦାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା କାମ । ତା ପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗା ଯାଇଛି । ଏହା ପରେ ସବୁ ଅଂଶକୁ ଭଙ୍ଗା ଯିବ ।
ତେବେ ଗୋଟିଏ ରଥକୁ ଭାଙ୍ଗିବା ପାଇଁ ୪ଦିନ ସମୟ ଲାଗିବ । ସେହିପରି ତିନି ରଥ ଭଙ୍ଗା କାମ ୧୦ରୁ ୧୨ ଦିନ ଭିତରେ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ଭୋଇ ସର୍ଦ୍ଦାର । ସେପଟେ ରଥ ଭଙ୍ଗା ଯିବା ପରେ ସିଂହାସନ, ପ୍ରଭା, ନାଟଗୋଡ, ଗୁଜ ଓ ଚକକୁ ନେଇ ଗୁଣ୍ଡିଚା ମନ୍ଦିର ଭିତରେ ରଖାଯିବ । ତାହାକୁ ବିକ୍ରି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥାଏ । ଅନ୍ୟପଟେ ବଳକା ଭଙ୍ଗା କାଠଗୁଡିକୁ ଦୋଳବେଦୀ କୋଣରେ ରଖିବା ପରେ ତାହା ଚିରଟ କରାଯାଇ ମହାପ୍ରସାଦ ରୋଷେଇ ପାଇଁ ଜାଳେଣୀ ଆକାରରେ ବ୍ୟବହାର କରାଯାଇଥାଏ । ସେପଟେ ଦେବୀ ରଥରୁ ବାହାରୁଥିବା ଲୁହା କଣ୍ଟାକୁ ଫଳୁ ନ ଥିବା ଗଛରେ ବାଡେଇଲେ ଫଳ ଭରିଥାଏ ବୋଲି ବିଶ୍ୱାସ ରହୁଥିବାରୁ ଅନେକ ଭକ୍ତ ଏହି କଣ୍ଟା ସଂଗ୍ରହ କରିଥାନ୍ତି । ଶ୍ରୀମନ୍ଦିରର ଭୋଇସେବକମାନେ ଏହି ରଥଭଙ୍ଗା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ରଥଭଙ୍ଗା ସମୟରେ ରଥନିକଟରେ କଡାସୁରକ୍ଷା ବ୍ୟବସ୍ଥା କରାଯାଇଛି ।

hiranchal ad1
Leave A Reply

Your email address will not be published.

five × 5 =