ରାୟଗଡା: ରାୟଗଡା ଜିଲ୍ଲା ପୂର୍ତ୍ତ ବିଭାଗ ଦ୍ୱାରା ଦୀର୍ଘ ଦୁଇ ବର୍ଷ ହେବ ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ଶିକରପାଇଠାରୁ ବ୍ଲକ ହେଡ଼କ୍ୱାଟର ପର୍ଯ୍ୟନ୍ତ ନୂତନ ଭାବେ ରାସ୍ତା ସହ ଆବଶ୍ୟକସ୍ଥାନମାନଙ୍କରେ ବ୍ରିଜ କାମ ଚାଲି ଆସୁଥିବା ବେଳେ ବର୍ତମାନ ନୂତନ ଭାବେ ନିର୍ମାଣ ହୋଇଥିବା ନାଗାବଳୀ ପୋଲର ସୁରକ୍ଷା ପାଚେରୀର ଉଭୟ ପାର୍ଶ୍ୱରେ ଲଗାଣ ବର୍ଷାରେ ପାଚେରୀ କିଛି ଫୁଟ ତଳକୁ ଦବିବା ସହ ଫାଟ ସୃଷ୍ଟି ହୋଇ ଆଁ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଉକ୍ତ ପୋଲ ଦେଇ ଲୋକେ ଯାତାୟାତ କରିବାକୁ ମନରେ ଭୟ ସଂଚାରୀ ଯାଉଥିବା ଦେଖିବାକୁ ମିଳିଛି । ସୁରକ୍ଷା ପାଚେରୀ ନିର୍ମାଣ ବେଳେ ନିମ୍ନମାନର କାମକୁ ନେଇ ଅଞ୍ଚଳବାସୀ ଠିକାଦାର ଏବଂ ଯନ୍ତ୍ରୀ ରାଜୀବ ବେହେରାଙ୍କୁ ବାରମ୍ବାର ଅଭିଯୋଗ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନ ଥିଲେ । ଫଳରେ ଲଗାଣ ବର୍ଷାରେ ସୁରକ୍ଷା ପାଚେରୀ ଦବିବା ଦ୍ୱାରା ଏହି ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳରେ ଭୟ ସୃଷ୍ଟି ହେଉଛି । ରାୟଗଡା- କଲ୍ୟାଣସିଂହପୁରକୁ ଯୋଡ଼ୁଥିବା ଏହି ପୋଲ ଉପରେ ନିର୍ଭର କରି ଅଞ୍ଚଳବାସୀ ଯାତାୟାତ କରୁଥିବା ବେଳେ ବର୍ତମାନ ନୂତନ ପୋଲ ର ସୁରକ୍ଷା ପାଚେରୀ ଦବିବା ସହ ଫାଟ ସୃଷ୍ଟି ହେବାର ଦେଖି କେତେବେଳେ କଣ ଅଘଟଣ ଘଟିବ ନେଇ ଅଞ୍ଚଳବାସୀଙ୍କ ମାନରେ ଭୟ ସୃଷ୍ଟି ହେଉଛି ।