ଦ୍ୱିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘ ଆନ୍ଦୋଳନ, ପୁରୀରେ ଯାତ୍ରୀ ହନ୍ତସନ୍ତ

0 60

ପୁରୀ : ଦ୍ୱିତୀୟ ଦିନରେ ପହଞ୍ଚିଛି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ଡ୍ରାଇଭର ମାନଙ୍କ ପାଇଁ ବୀମା, ପେନସନ ସୁବିଧା, ସାମାଜିକ ନିରାପତ୍ତା, ରାସ୍ତାକଡରେ ଶୌଚାଳୟ ଓ ବିଶ୍ରାମ ଘର ନିର୍ମାଣ ସମେତ ଦଶ ଦଫା ଦାବି ନେଇ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶହ ଶହ ସଂଖ୍ୟାରେ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପର୍ଯ୍ୟଟନ ସହର ପୁରୀରେ ଆନ୍ଦୋଳନ ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।
ପୁରୀର ବିଭିନ୍ନ ପ୍ରବେଶ ପଥ ଯଥା ହରେକୃଷ୍ଣ ପୁର ଛକ,ମଙ୍ଗଳାଘାଟ ଛକ,ଭୂଦାନ ଛକରେ ଶତାଧିକ ସଂଖ୍ୟକ ଡ୍ରାଇଭର ଏକାଠି ହୋଇ ୧୦ ଦଫା ନେଇ ରାଜ୍ୟ ସରକାରଙ୍କ ବିରୋଧରେ ନାରା ଦେବାସହ ଶହ ଶହ ସଂଖ୍ୟକ ଡ୍ରାଇଭର ପିକେଟିଂ କରୁଛନ୍ତି । ବାରମ୍ବାର ଆନ୍ଦୋଳନ ଓ ଆନ୍ଦୋଳନକୁ ପ୍ରସମିତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ବିଫଳ ହୋଇଥିବା ବେଳେ ଏଥର କିନ୍ତୁ ନଛୋଡବନ୍ଧା ସଙ୍ଘ । ଦାବି ପୂରଣ ନହେବା ଯାଏଁ ରାଜରାସ୍ତାରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଦମ୍ଭୋକ୍ତି ପ୍ରକାଶ କରି କହିଛନ୍ତି ସଂଘର ସଦସ୍ୟ ।ସେପଟେ ଲୋକଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ପ୍ରାଇଭେଟ ନମ୍ବର ଗାଡି ଗୁଡିକୁ ନ ଅଟକାଇ ସଙ୍ଘ ଚକଲେଟ ଦେଇ ଛାଡି ଦେଉଥିବା ବେଳେ ଆମ୍ବୁଲାନ୍ସ, ପୋଲିସ, ସ୍କୁଲ ଇତ୍ୟାଦି ଜରୁରୀକାଳୀନ ସେବାଯୁକ୍ତ ଗାଡିକୁ ମଧ୍ୟ ଛାଡିଦିଆଯାଉଛି ।ମୋଟାମୋଟି ଭାବରେ ପୁରୀରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ରାଜ୍ୟ ସରକାରଙ୍କ ବିରୋଧରେ ଦମ ଦେଖାଇଛି ସଙ୍ଘ ।
ଡ୍ରାଇଭର ମାନଙ୍କ ଏହି ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ବେଶୀ ପ୍ରଭାବିତ ହୋଇଛନ୍ତି ଯାତ୍ରୀ ମାନେ । ଡ୍ରାଇଭର ମାନଙ୍କ ଏହି ଆନ୍ଦୋଳନ ଯୋଗୁଁ ପୁରୀରେ ଦୁଇଦିନ ହେଲା ବସ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଯାତ୍ରୀ ମାନେ ବସ ଉପରେ ନିର୍ଭର କରି ବସଷ୍ଟାଣ୍ଡକୁ ଆସିଥିଲେ ନିଜ ନିଜ ଗନ୍ତବ୍ୟ ସ୍ଥଳୀକୁ ଯିବାପାଇଁ କିନ୍ତୁ ବସ ଚଳାଚଳ ବନ୍ଦ ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି ପୁରୀ ମଙ୍ଗଳାଘାଟ ଛକରେ ମଧ୍ୟ ଡ୍ରାଇଭର ମାନେ ଆନ୍ଦୋଳନ କରିଛନ୍ତି । ଏହାରି ଭିତରେ ଯାତ୍ରୀ ମାନେ ନାହିଁନଥିବ ଅସୁବିଧା ଭୋଗ କରିଛନ୍ତି । ପୁରୀରେ ଡ୍ରାଇଭର ମାନଙ୍କ ଏହି ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରଭାବ ଦେଖାଦେଇଛି । ବିଭିର୍ନ୍ନ ସମୟରେ ଡ୍ରାଇଭର ମାନଙ୍କ ଦାବି ନେଇ ସରକାର ନିକଟକୁ ଜଣାଇଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି, କେବଳ ମିଥ୍ୟା ପ୍ରତିଶୃତି ଦେଉଛନ୍ତି । ଏହି ୧୦ଦଫା ଦାବି ସରକାର ପୂରଣ ନକରିବା ପର୍ଯ୍ୟନ୍ତ ଏହିଭଳି ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛି ଡ୍ରାଇଭର ସଂଘ ।

hiranchal ad1
Leave A Reply

Your email address will not be published.

2 × 3 =