ପୁରୀ : ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ ପୁରୀ ଜିଲ୍ଲା କଂଗ୍ରେସ । ଆସନ୍ତା ୧୮ ତାରିଖ ଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ସଦର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ । ପୁରୀ ଭିଆଇପି ରୋଡ ଇନ୍ଦିରା ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ । ଜିଲ୍ଲାର ସମସ୍ତ ବ୍ଲକ ଅଫିସ୍ ସମ୍ମୁଖରେ ବ୍ୟାପକ ଘେରାଉ କାର୍ଯ୍ୟକ୍ରମ କରାଯିବା ସହ ବ୍ଲକ୍ ଅଫିସ୍ ମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯାତନା, ଚାଷୀ ମାରଣା ନୀତି ଓ ଟାଟା କମ୍ପାନୀ ବିରୋଧରେ ଏହି ବିକ୍ଷୋଭ କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ବାରମ୍ବାର ଦାବି ସତ୍ତେ୍ୱ ରତ୍ନଭଣ୍ଡାର ନଖୋଲିବା ବିଷୟରେ ଜବାବ୍ ମାଗିବ କଂଗ୍ରେସ । ତେବେ ୧୮ ତାରିଖରେ କଂଗ୍ରେସ କମିଟିର ଶୋଭାଯାତ୍ରା ରେଳ ଷ୍ଟେସନରୁ ବାହାରି ବ୍ଲକ୍ ଅଫିସ୍ ଠାରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ଓ ବ୍ଲକ୍ ଘେରଉ କାର୍ଯ୍ୟକ୍ରମ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।