ଆରମ୍ଭ ହେଲା ବାହୁଡା ପ୍ରସ୍ତୁତି ; ଦକ୍ଷିଣମୋଡ଼ ହେଲା ରଥ, ନାକଚଣା ଦୁଆରେ ତାଳଧ୍ୱଜ ଓ ଦର୍ପଦଳନ

0 82

ପୁରୀ : ଘୋଷଯାତ୍ରାର ଷଷ୍ଠୀ ତିଥିରେ ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି । ହେରାପଞ୍ଚମୀରେ ମହାଲକ୍ଷ୍ମୀଙ୍କ ଦ୍ୱାରା ନନ୍ଦିଘୋଷ ରଥ ଭଙ୍ଗା ଯିବା ପରେ କଥା ରକ୍ଷାକରି ଶ୍ରୀମନ୍ଦିରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମହାପ୍ରଭୁ । ଏଥିପାଇଁ ଷଷ୍ଠୀ ତିଥିରେ ରଥଗୁଡିକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦୁଆରେ ରଖାଯାଇଛି । ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରଙ୍କ ରଥକୁ ଦକ୍ଷିଣ ମୋଡ ଆଜି କରାଯାଇଥିବା ବେଳେ ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥଙ୍କ ରଥ ଦକ୍ଷିଣ ମୋଡ ନେବା ସହ ନାକଚଣା ଦୁଆରରେ ଲାଗିବ ବୋଲି ଜଣାପଡିଛି । ସଂଧ୍ୟା ହୋଇଯାଇଥିବାରୁ ମହାପ୍ରଭୁଙ୍କ ରଥଟଣାକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖିଥିବା ଜଣାପଡିଛି । ଏଥିପାଇଁ ରବିବାର ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ବଢ଼ି ସକାଳ ଧୂପ ଉଠିବା ପରେ ରଥକୁ ଆଜ୍ଞା ମାଳ ବିଜେ କରିଥିଲେ ।
ଅପରାହ୍ନ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଯାଇଥିଲା । ଘଣ୍ଟ ଘଣ୍ଟା ବାଦନ ମଧ୍ୟରେ ଆରକ୍ଷୀ ମାନେ ଦେବୀ ରଥକୁ ଟାଣି ନେଇ ନାକଚଣା ଦୁଆରେ ଲଗାଇ ଥିଲେ । ପରେ ତାଳଧ୍ୱଜ ରଥଟଣା ଯାଇ ନାକଚଣା ଦୁଆରେ ଲାଗିଥିଲା । ସନ୍ଧ୍ୟା ହେତୁ ନନ୍ଦିଘୋଷ ରଥ ଟଣା ଯାଇ ପାରିନଥିଲା । ସୋମବାର ପୂର୍ବାହ୍ନରେ ନନ୍ଦିଘୋଷ ରଥ ଟଣା ଯାଇ ନାକଚଣା ଦୁଆରକୁ ଯିବ । ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ, ଆଇ ଜି ଆଶିଷ ସିଂ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ ବିଶାଲ ସିଂ ପ୍ରମୁଖ ଉପସ୍ଥିତ ରହି ରଥଟଣା କାର୍ଯ୍ୟ ତଦାରଖ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen + sixteen =