ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ:୪ ଲକ୍ଷ ଅତିରିକ୍ତ ହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ ହେଲେ ସାମିଲ

0 75

ଭୁବନେଶ୍ୱର: ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ରୁ ବୃଦ୍ଧି ପାଇ ୩୬.୭୫ ରେ ପହଞ୍ଚିବ । ରାଜ୍ୟ ସରକାର ଏଥିପାଇଁ ମାସକୁ ୧୯୦.୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ।
୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକ ମାନେ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବାକୁ ଅନୁରୋଧ କରିଥିଲେ । ଲୋକଙ୍କ ଆବେଦନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମଧୁ ବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ୨୦୨୩ ଅଗଷ୍ଟରେ ଅତିରିକ୍ତ ୪.୧୩ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିଥିଲେ ।
ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିଥାନ୍ତି । ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ଓ ଏଡ଼ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର, କୋଭିଡ ଅନାଥ ପିଲାମାନେ ଏଥିରେ ସାମିଲ ହୋଇଥାନ୍ତି ।
ଏହି ଯୋଜନାରେ ଛୋଟ ପିଲାଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି । ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି ।
ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି । ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ ।

hiranchal ad1
Leave A Reply

Your email address will not be published.

1 × one =