ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

0 67

ବୌଦ୍ଧ,୧୫ା୩ : ବୌଦ୍ଧଜିଲ୍ଲା ସ୍ତରୀୟ ଅଂଶୁଘାତ ମୁକାବିଲା ସଂପର୍କିତ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି ଓ ଅଂଶୁଘାତର ସଫଳ ମୁକାବିଲା ନିମନ୍ତେ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ମହଜୁଦ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକମାନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଅଂଶୁଘାତ ଆଶଙ୍କା ରହିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଅଚଳ ଥିବା ନଳକୂପ ଗୁଡିକୁ ଯୁଦ୍ଧକାଳୀନ ଭିତିରେ ମରାମତି କରିବା ପାଇଁ ଆବଶ୍ୟକସ୍ଥଳେ ଭ୍ରମ୍ୟମାଣ ଟ୍ୟାଙ୍କର ଦ୍ୱାରା ପିଇବା ପାଣିର ସୁବ୍ୟବସ୍ଥା କରିବା ପାଇଁ ସଂପୃକ୍ତି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆବଶ୍ୟକସ୍ଥଳେ ଜିଲ୍ଲାର ଗ୍ରାମ୍ୟ ହାଟ ଓ ଜନଗହଳିସ୍ଥାନ ଗୁଡିକରେ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ଜଳଛତ୍ର ସହିତ ବିଭିନ୍ନ ସ୍ଥାନରେ ସମୁଦାୟ ୧୦ ଗୋଟି ଜଳଛତ୍ର ଏବଂ ଏନଏସିର ବସଷ୍ଟାଣ୍ଡ ଓ ବିଜୁ ପଟ୍ଟନାୟକ ଛକରେ ମୁକ୍ତା ଯୋଜନାରେ ଦୁଇଟି ଜଳଛତ୍ର ଖୋଲାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଜିଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଳକ କାର୍ଯ୍ୟାଳୟ ଗୁଡିକରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ସେଠାରେ ଅଭିଯୋଗ ପୁସ୍ତିକା ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଜିଲା ନିୟନ୍ତ୍ରଣ କକ୍ଷରେ ସ୍ୱାସ୍ଥ୍ୟ ବିଭାଗ, ପାନୀୟଜଳ ଯୋଗାଣ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଟାଟା ପାୱାରର ଜଣେ ଲେଖାଏଁ କର୍ମଚାରୀ ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମନରେଗା ଯୋଜନାରେ କାର୍ଯ୍ୟସ୍ଥଳ ଗୁଡିକରେ ଶ୍ରମିକମାନଙ୍କ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାନୀୟଜଳ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପଶୁମାନଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ବୌଦ୍ଧ ସହରର ୧୭ ଗୋଟି ୱାର୍ଡରେ ପଶୁ ମାନଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ଚିକିତ୍ସାଳୟରେ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ରଖାଯିବା ସହିତ ଅଙ୍ଗନବାଡି କେନ୍ଦ୍ର, ଚିକିତ୍ସାଳୟ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ମହଜୁଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗ୍ରୀଷ୍ମରେ ଅଗ୍ନିଶମ ବିଭାଗ ସତର୍କ ଓ ସବୁ ସମୟରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ବିଦ୍ୟୁତ କାଟ୍‌ ନକରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରିବାକୁ ପ୍ରଚାରପତ୍ର ବଣ୍ଟନ କରାଯିବ । ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ପ୍ରତ୍ୟେକ ବ୍ଲକ ଓ ଏନଏସି ଏବଂ ବୁଣାକାର ହାଟରେ ବଡବଡ ଫ୍ଲେକ୍ସ ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲାରେ ବିଭିନ୍ନ ସ୍ଥାନରେ ବସୁଥିôବା ୩୫ ଗୋଟି ହାଟରେ ଜଳଛତ୍ର ଖୋଲାଯିବା ନେଇ ନିଶ୍ଚିତ କରିବାକୁ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ବିଭିନ୍ନ ବିଭାଗର ନିର୍ମାଣ କାର୍ଯ୍ୟରେ ଗ୍ରୀଷ୍ମରେ ଶ୍ରମିକମାନଙ୍କୁ ନିୟୋଜିତ ନକରିବା, ପର୍ଯ୍ୟାପ୍ତ ପରିମାଣରେ ପାନୀୟଜଳ, ଓଆରଏସ ବ୍ୟବସ୍ଥା କରିବା ସହିତ ସମସ୍ତ ସତର୍କତା ଅବଲମ୍ବନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସହକାରୀ ଜିଲାପାଳ ଚନ୍ଦ୍ରକାନ୍ତ ବେହେରା ବୈଠକ ପରିଚାଳନା କରିଥିବାବେଳେ ଅଂଶୁଘାତର ସଫଳ ମୁକାବିଲା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ଅତିରକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲାପାଳ ରବିନ୍ଦ୍ରନାଥ କହଁରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 + 4 =