ଫେକ୍‌ ସାର୍ଟିଫିକେଟ ବଳରେ ସିଆରପି ଚାକିରି କରିଥିବା ଅଭିଯୋଗ, ସୂଚନା ଅଧିକାର ଆଇନ ବଳରେ ମିଳିଲା ପ୍ରମାଣ

0 741

ବାଲିଗୁଡ଼ା:ଫେକ୍‌ ସାର୍ଟିଫିକେଟ ବଳରେ ସିଆରପି ଚାକିରି କରିଥିବା ଅଭିଯୋଗ । ସୂଚନା ଅଧିକାର ଆଇନ ବଳରେ ମିଳିଲା ପ୍ରମାଣ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ । ସୂଚନା ପ୍ରକାରେ ରାଇକିଆ ବ୍ଲକ୍‌ ଅନ୍ତର୍ଗତ ପେଟାମାହା ଗ୍ରାମର ପଦ୍ମିନୀ ନାୟକ ନାମକ ଜଣେ ମହିଳା ରାଇକିଆ ବ୍ଲକର ଓଏଲ୍‌ଏମ୍‌ ଓ ବିପିଏମ୍‌ ଜୟଦେବ ପ୍ରଧାନଙ୍କ ଅଧିନରେ ସିଆରପି ଭାବେ ପ୍ରାୟ ତିନି ବର୍ଷ ହେବ ଚାକିରୀ କରୁଛନ୍ତି । କିନ୍ତୁ ପଦ୍ମିନୀ ଦଶମ ଶ୍ରେଣୀ ପାସ୍‌ ହୋଇନଥିବା ବେଳେ ତାଙ୍କୁ ସିଆରପି ଚାକିରି କିଭଳି ମିଳିଲା ସେନେଇ ପେଟାମାହା ଗ୍ରାମର ବେଞ୍ଜାମିନ ପ୍ରଧାନ ନାମକ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ୍‌ ଦ୍ୱାରା ବିଭାଗୀୟ ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ । ସୂଚନା ଅଧିକାର ଆଇନ୍‌ ଦ୍ୱାରା ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ, ସିଆରପି ଭାବେ କାର୍ଯ୍ୟରତ ମହିଳା ପଦ୍ମିନୀ ନାୟକ ଫେକ୍‌ ସାର୍ଟିଫିକେଟ ଦାଖଲ କରି ଚାକିରି ହାତେଇଛନ୍ତି । ପଦ୍ମିନି ଜି.ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ସିର୍କି ହାଇସ୍କୁଲରେ ପାଠ ପଢିଥିବା ନେଇ ଚାକିରି କରିବା ପାଇଁ ଯେଉଁ ସାର୍ଟିଫିକେଟ ଦାଖଲ କରିଛନ୍ତି ତାହା ଫେକ୍‌ ହୋଇଥିବା ଜଣାପଡ଼ିଛି । ଏଭଳି କୌଣସି ଛାତ୍ରୀ ସିର୍କି ହାଇସ୍କୁଲରେ ନାମ ଲେଖାଇଥିଲେ କିମ୍ବା ତାଙ୍କୁ କୌଣସି ଟ୍ରାନ୍ସଫର ସାର୍ଟିଫିକେଟ ଦିଆଯାଇନଥିବା ଚିଠି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସୂଚନା ଅଧିକାର ଆଇନ୍‌ ଦ୍ୱାରା ମିଳିଥିବା ସମସ୍ତ ତଥ୍ୟକୁ ଯଦି ତର୍ଜମା କରାଯାଏ ତେବେ ପଦ୍ମିନୀ ଚଞ୍ଚକତା କରି ମିଥ୍ୟା ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ଦାଖଲ କରି ଚାକିରି ହାତେଇଥିବା ଜଣାପଡ଼ୁଛି । ତେବେ ପଦ୍ମିନୀଙ୍କୁ ଚାକିରି କରାଇଦେବାରେ ନିହାତି ଭାବରେ କିଛି ସରକାରୀ ବାବୁଙ୍କ ଏଥିରେ ସମ୍ପୃକ୍ତିକୁ ଏଡ଼ାଇ ଦିଆଯାଇନପାରେ । ପଦ୍ମିନୀ ନାୟକ ସିଆରପି ଚାକିରି କରିବାର ଗତ ତିନି ବର୍ଷ ମଧ୍ୟରେ କିଛି ସରକାରୀ ବାବୁଙ୍କୁ ହାତବାରିସି କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଟଙ୍କା ଆତ୍ମସାତ କରିଥିବା ମଧ୍ୟ ଅଭିଯୋଗ ହେଉଛି । ତେବେ ସୂଚନା ଅଧିକାର ଆଇନ୍‌ ଦ୍ୱାରା ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିଥିବା ବେଳେ ଆଗକୁ ପ୍ରଶାସନ ସିଆରପି ପଦ୍ମିନୀ ନାୟକ ଓ ଏଥିରେ ସମ୍ପୃକ୍ତ ଥିବା ସରକାରୀ ବାବୁ ମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

one + 5 =