ପୁରୁଣା ଢାଞ୍ଚାକୁ ଫେରିବ ଦଶମ ଶ୍ରେଣୀ ପରୀକ୍ଷା

0 72

କଟକ: କୋଭିଡ୍‌ ମହାମାରୀ ସମୟରେ ପୂର୍ବପ୍ରଚଳିତ ମାଟ୍ରିକ୍‌ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା । ଯାହାଫଳରେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ବର୍ଷକରେ ଦୁଇ ଥର ବୋର୍ଡ ପରୀକ୍ଷା ଦେବାକୁ ପଡିଲା । ଗତ ଦୁଇ ବର୍ଷ ହେଲା ଏହା ଚାଲିଛି । ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରୀକ୍ଷା ବ୍ୟବସ୍ଥାରେ ପୁଣି ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ବୋର୍ଡ ଦ୍ୱାରା ଦୁଇଟି ପର୍ଯ୍ୟାୟରେ ପରିଚାଳିତ ହେଉଥିବା ସମେଟିଭ୍‌ ଆସେସମେଣ୍ଟ୍‌-୧ ଏବଂ ୨ ପରୀକ୍ଷା ବଦଳରେ ମାଟ୍ରିକ୍‌ ପରୀକ୍ଷାର୍ଥୀମାନେ ଏଣିକି ଗୋଟିଏ ବୋର୍ଡ ପରୀକ୍ଷା ଦେବେ । ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୁରୁବାର କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି ।କୋଭିଡ୍‌ ମହାମାରୀ ଯୋଗୁଁ ୨୦୨୦ରେ ବିଦ୍ୟାଳୟରେ ପାଠପଢ଼ା ଠପ୍‌ ହୋଇଯାଇଥିବା ବେଳେ ବିନା ପରୀକ୍ଷାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୨୧ ଏବଂ ୨୦୨୨ ଶିକ୍ଷାବର୍ଷରେ ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀର ପାଠ୍ୟକ୍ରମ ହ୍ରାସ କରିବା ସହ ପରୀକ୍ଷା ବ୍ୟବସ୍ଥା ଏବଂ ମୂଲ୍ୟାୟନ ପଦ୍ଧତିରେ ଅନେକ ପରିବର୍ତ୍ତନ କରିଥିଲେ । ମାଟ୍ରିକ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଦଶମ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ୪ଟି ଫର୍ମେଟିଭ୍‌ ଆସେସମେଣ୍ଟ ପରୀକ୍ଷା ଏବଂ ବୋର୍ଡ ଦ୍ୱାରା ୨ଟି ସମେଟିଭ୍‌ ଆସେସମେଣ୍ଟ ପରୀକ୍ଷା ଦେବା ଲାଗି ବ୍ୟବସ୍ଥା କରାଯାଇଥିଲା । ଆଗାମୀ ବର୍ଷରୁ କିନ୍ତୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଗୋଟିଏ ବୋର୍ଡ ପରୀକ୍ଷା ଦେବେ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି । ଏ ନେଇ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣେ ଅଧିକାରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

one × 1 =