ନାହିଁ ସୁବିଧା, ବଣଭୋଜି ପାଇଁ ହନ୍ତସନ୍ତ ପର୍ଯ୍ୟଟକ

0 337

ଦଶପଲ୍ଲା : – ଇଂରାଜୀ ନବବର୍ଷ ୨୦୨୩ ଅବସରରେ ଗଣିଆ ଓ ଦଶପଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ହୋଇଛି ଚଳଚଞ୍ଚଳ । ପ୍ରାକୃତିକ ଶୋଭାରାଜିରେ ଭରପୁର ଗଣିଆ ଓ ଦଶପଲ୍ଲାରେ ରହିଛି ଅନେକ ଦର୍ଶନୀୟ ସ୍ଥାନ । କୂଆଁରିଆ ଡ଼୍ୟାମ୍‌, ରତ୍ନଗଣ୍ଡ, ବୃତ୍ତଂଗ ବାଲୁକା ରାଶି, ବଡମୂଳ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ, ଇକୋ ଭିଲେଜ ମୁଦୁଲି ଗାଡିଆ, ମା’ କଳାପାଟ ଠାକୁରାଣୀଙ୍କ ପୀଠ, ଗୁପ୍ତେଶ୍ୱର ମହାଦେବଙ୍କ ବିଜେସ୍ଥଳୀ ପଞ୍ଚୁପଲ୍ଲୀ ପ୍ରଗଣା, ଅର୍ଜୁନ ଖୋଲ,ନୂଆପଡ଼ା ଡ୍ୟାମକୁ ନୂଆ ବର୍ଷରେ ପର୍ଯ୍ୟଟକଙ୍କ ସୁଅ ଛୁଟେ । ଏହି ପର୍ଯ୍ୟଟନ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଏଠାରେ ଭିଡ଼ ଜମାଇଥା’ନ୍ତି । ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ସାତକୋଶିଆ ଲ୍ୟାଣ୍ଡ ରିସୋର୍ଟର ପ୍ରାକୃତିକ କ୍ୟାମ୍ପ ଠାରୁ ଆରମ୍ଭ କରି ବାଲୁକା କଟେଜ, ମହାନଦୀର ନୀଳ ଜଳରାଶିରେ ନୌକା ବିହାର ପାଇଁ ପର୍ଯ୍ୟଟକ ଅନଲାଇନ ଟିକଟ ବୁକିଂ କରି ଆସୁଛନ୍ତି । ରିସୋର୍ଟରେ ଗୋଟିଏ ଦିନ ପାଇଁ ୫ହଜାର ଟଙ୍କା (ଏସି), ୩ହଜାର ଟଙ୍କା (ନନ୍‌ଏସି)ର ସୁବିଧା ରହିଛି । ମାତ୍ର ବନବିଭାଗ ଅଧୀନରେ ଏହା ରହିଥିଲେ ବି ପ୍ରଶାସନିକ ଅବହେଳାରୁ ଏହି ସମସ୍ତ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ ହେଉନାହିଁ । ଗଣିଆ ମୁଖ୍ୟ ବଜାର ଠାରୁ ଏହି ସମସ୍ତ ସ୍ଥାନର ଦୂରତା ପ୍ରାୟ ୪୫ କିଲୋମିଟର । କିନ୍ତୁ ଏଠାରେ ଆବଶ୍ୟକ ମୌଳିକ ସୁବିଧା ନଥିବାରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିବାକୁ ଇଚ୍ଛା ପ୍ରକାଶ କରୁନଥିବା ଜଣାପଡିଛି ।

hiring

ଅନେକ ପର୍ଯ୍ୟଟନସ୍ଥଳୀକୁ ପକ୍କା ରାସ୍ତା, ପାନୀୟ ଜଳ ସମସ୍ୟା ଏବଂ ବିଦ୍ୟୁତର ସୁବିଧା ନାହିଁ । ଭିତ୍ତିଭୂମି ସୁଦୃଢ ନଥିବାରୁ ପର୍ଯ୍ୟଟକ ମାନେ ଏହି ପର୍ଯ୍ୟଟନସ୍ଥଳୀରୁ ମୁହଁ ଫେରାଇ ନେଉଛନ୍ତି । ପୂର୍ବରୁ ଏଠାକୁ ପ୍ରତିଦିନ ପ୍ରାୟ ୩ହଜାର ଲୋକ ଆସୁଥିବା ବେଳେ ଏବେ ଦୈନିକ ମାତ୍ର ୧୫ ଶହ ପର୍ଯ୍ୟଟକ ଆସୁଥିବା ଜଣାପଡିଛି । ଆବଶ୍ୟକ ସୁବିଧା ସୁଯୋଗ ପାଉ ନଥିବାରୁ ଦୂରଦୂରାନ୍ତରୁ ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଏଠାରେ ଯାତ୍ରୀଙ୍କ ରହିବା ଲାଗି ଯାତ୍ରୀ ନିବାସ ନାହିଁ । ପୁଣି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅନେକ ସ୍ଥାନରେ ମଦୁଆଙ୍କ ପ୍ରାଦୁର୍ଭାବ ଯୋଗୁଁ ପର୍ଯ୍ୟଟକ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଅପରପକ୍ଷେ ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ସୁଦୃଢ କରିବା ପାଇଁ ପର୍ଯ୍ୟଟନ ବିଭାଗକୁ ଚିଠି ଲେଖାଯାଇଛି ବୋଲି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଛନ୍ତି । ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

3 × two =