ନୂଆପଡ଼ା : ଗତ ୩ ଦିନ ଧରି ଚାଳିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ନୂଆପଡ଼ା ଜିଲ୍ଲାର ଖଡିଆଳ ବ୍ଲକରେ କିଛି ବି ପ୍ରଭାବ ପକାଇ ପାରିନି । ଖାଲି ଶୁଖିଲା ପଡ଼ିଥିବା ଜମି ଗୁଡିକର ଶୋଷ ମେଣ୍ଟାଉଥିବା ବେଳେ ବର୍ତ୍ତମାନ ଜମିରେ ପାଣି ଟିକକ ନାହିଁ । ଫଳରେ ଚାଷୀ ସେମାନଙ୍କ ଚାଷ କାର୍ଯ୍ୟ ଆଗେଇ ପାରୁନାହାନ୍ତି । ଖଡିଆଳ ବ୍ଲକ ର କିଛି ଜଳସେଚିତ ଜମି ସହ ପାଣି ମଡ଼ାଇବାର ବ୍ୟବସ୍ଥା ଥିବା ଜମି ମାନଙ୍କରେ ଚାଷୀମାନେ ଚାଷ କାର୍ଯ୍ୟ ଆଗେଇ ରୁଆ ବେଉଷଣ କାର୍ଯ୍ୟ କରୁଥିବା ବେଳେ ବର୍ଷା ପାଣି ଉପରେ ନିର୍ଭର କରୁଥିବା ଜମି ଗୁଡିକର ଚାଷ କାର୍ଯ୍ୟ ସେମିତି ପଡ଼ିରହିଛି । ଫଳରେ ଖଡିଆଳ ବ୍ଳକର ଚାଷୀକୁଳ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଚଳିତ ବର୍ଷ ମଧ୍ୟ ମରୁଡ଼ିସ୍ଥିତିକୁ ଚାଷୀକୂଳ ସହ୍ୟ କରିପାରୁ ନାହାନ୍ତି । ଏଠାକାର ଚାଷୀ ଲଗାତାର ୫ ବର୍ଷ ଧରି ମରୁଡ଼ିର ସମ୍ମୁଖୀନରେ ପଡ଼ିଥିବା ବେଳେ ଚଳିତ ବର୍ଷର ମରୁଡ଼ି ସ୍ଥିତିକୁ ଦେଖି ଚାଷୀଙ୍କ ମଧ୍ୟରେ ନିରାଶାଭାବ ଦେଖାଦେଇଛି । ଅନ୍ୟପକ୍ଷରେ କୃଷି ବୀମା, ଇନପୁଟ ସବସିଡି ସହ କାଳିଆ ଟଙ୍କା ନମିଳିବା ଚାଷୀକୂଳ ପ୍ରତି ସରକାରଙ୍କ କୁଠାରଘାତ ବୋଲି ଆଲୋଚନା ହେଉଛି । ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଖଡିଆଳର ଚାଷୀକୂଳଙ୍କ ଥିବା ସମସ୍ୟା ଗୁଡିକର ସମାଧାନ କ୍ଷେତ୍ରରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।