ଖଡ଼ିଆଳ ବ୍ଲକରେ କ୍ଷତିଗ୍ରସ୍ତ ହେଉଛନ୍ତି ଚିନାବାଦାମ ଚାଷୀ

0 54

ନୂଆପଡା: ଚିନାବାଦାମ ଏକ ଲାଭଜନକ ଚାଷ, ଖାଇବା ପାଇଁ ସ୍ୱାଦିଷ୍ଟ ଲାଗୁଥିବାରୁ ଏହାର ବଜାର ଚାହିଦା ମଧ୍ୟ ବେଶୀ । କିନ୍ତୁ ଏହି ଚାଷ କରି ଏବର୍ଷ କ୍ଷତି ସହିଥିବାର ଅଭିଯୋଗ କରିଛନ୍ତି ଖଡ଼ିଆଳ ବ୍ଲକର ଚାଷୀ । ଖଡ଼ିଆଳ ବ୍ଲକର ବିଭିନ୍ନ ଗ୍ରାମରେ ଚିନାବାଦାମ ଚାଷ କରାଯାଏ । ବିଶେଷ କରି ନଦୀକୁଳ ଗାଁ ସବୁରେ ଏହି ଚାଷ ବହୁଳ ପରିମାଣରେ କରାଯାଏ । ଏହି ବ୍ଲକର ଅରେଡା ଗ୍ରାମ ପଞ୍ଚାୟତର ଚନୁଟ ମାଲ ଗାଁ । ଏହି ଗ୍ରାମରେ ଶତାଧିକ ଚାଷୀ ଚିନାବାଦାମ ଚାଷ କରି ଭଲ ଦୁଇ ପଇସା ଉପାର୍ଜନ କରନ୍ତି । ଏବର୍ଷ କିନ୍ତୁ ଭଲ ଅମଳ ହୋଇ ପାରିଲା ନାହିଁ । ଗାଁକୁ ତିଖାଲି ଡ୍ୟାମରୁ ଜଳସେଚନ ବ୍ୟବସ୍ଥା ଥିଲେ ମଧ୍ୟ, ସବୁ ଜମିକୁ ପାଣି ଲାଗି ପାରିନାହିଁ । ଫଳରେ ବର୍ଷାଜଳ ଭରସାରେ ଚାଷ କରିଥାନ୍ତି ଚାଷୀ । ଏବର୍ଷ ମଧ୍ୟ ବହୁତ ଆଶା ନେଇ ଚାଷୀମାନେ ଚିନାବାଦାମ କରିଥିଲେ । ସରକାରୀ ବିହନ ମିଳୁ ନଥିବାରୁ ନିଜେ କିଣିକି ରୋଇଥିଲେ । ଅନେକ ଚାଷୀ ଧାର କରଜ ମଧ୍ୟ କରିଥିଲେ । ଗୋଟିଏ ଏକର ଜମିରେ ପ୍ରାୟ ଦଶ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କୋଡିଏ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ । କିନ୍ତୁ ଏବର୍ଷ ମୂଳ ମଧ୍ୟ ମିଳି ପାରୁନାହିଁ । କାରଣ ଠିକ ସମୟରେ ବର୍ଷା ହେଲାନାହିଁ । ଏଣୁ ଚିନାବାଦାମ ଗଛ ମରିବାକୁ ବସିଲା ଓ ଫଳ ଧରିଲା ନାହିଁ । ଉତ୍ପାଦନ କମି ଯିବାରୁ ଚାଷୀ ଏବେ ଚିନ୍ତାରେ । ଧାର କରଜ ସୁଝିବେ କିପରି ବୋଲି କୁନ୍ତୀ ଶବର, ଚାଷୀ ଧ୍ରୁବ ଶବର, ହରିପ୍ରସାଦ ଶବର ପ୍ରକାଶ କରିଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁଯାୟୀ ତିନି ବର୍ଷ ପୂର୍ବେ କୃଷି କାର୍ଯ୍ୟାଳୟ ତରଫରୁ ମାଗଣାରେ ଚିନାବାଦାମ ବିହନ ସହ ସାର ଔଷଧ ମିଳୁଥିଲା । ଏବେ ଆଉ ସେସବୁ ମିଳୁନାହିଁ । ବାହାରୁ ଚାଷୀ କିଣୁଥିବା ବିହନ ଠିକ ଫଳ ଧରୁନି । କୌଣସି ବୀମାରେ ସାମିଲ କରାଯାଉନାହିଁ । ଫଳରେ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ପୂର୍ବପରି ସବୁପ୍ରକାର ସହଯୋଗ ସହିତ ସବୁ ବିଲକୁ ଜଳସେଚନ ବ୍ୟବସ୍ଥା କଲେ ଭଲ ଉପାର୍ଜନ ପାଇ ପାରନ୍ତେ ଚାଷୀ । ଏନେଇ ଖଡ଼ିଆଳ ବ୍ଲକ କୃଷି ଅଧିକାରୀ ସଞ୍ଜୟ ପାତ୍ରଙ୍କୁ ପଚାରିବାରୁ ଚାଷୀମାନେ ବିହନ ପାଇଁ ପଞ୍ଜିକରଣ କଲେ ଭଲ ବିହନ ଯୋଗାଇବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

2 × 5 =