ପୁରୀ : ଚିକିତ୍ସା ଅବହେଳାରୁ ପୁରୀ ବଡ ଡାକ୍ତରଖାନାରେ ରୋଗୀ ମୃତ୍ୟୁ ଅଭିଯୋଗ । ପୁରୀ ବ୍ରହ୍ମଗିରି ନଟିଆ ନିବାସୀ ନାରାୟଣ ସାହୁ ଛାତି ଯନ୍ତ୍ରଣା ପାଇଁ ପୁରୀ ମେଡିକାଲରେ ଆଡିମିଶନ ହୋଇଥିଲେ । ଦିନ ତମାମ ଯନ୍ତ୍ରଣା ବଢିବାରେ ଲାଗିଥିଲା । ପରେ ରାତିରେ ଯନ୍ତ୍ରଣା ବଢିବା ପରେ ଡାକ୍ତରଙ୍କୁ ବାରମ୍ବାର ଡକିବା ସତ୍ତେ୍ୱ ଡାକ୍ତର ବିଳମ୍ୱରେ ଆସିଥିଲେ । ଯାହା ଫଳରେ ନାରାୟଣ ସାହୁଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ପୁଅ ଅଭିଯୋଗ କରିଛନ୍ତି । ଏ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ କୁମ୍ଭାରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା । ତେବେ ରାତିରେ ଥିବା ଡ଼ାକ୍ତରମାନେ ଅନେକ ସମୟ ରୋଗୀଙ୍କୁ ସଠିକ୍ ସମୟରେ ଚିକିତ୍ସା କରୁନଥିବା ଯୋଗୁ ପୁରୀ ମେଡିକାଲରେ ରୋଗୀଙ୍କ ମୃତ୍ୟୁ ଘଟୁଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସୁଛି ।