ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ପାଳିତ

0 84

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ପାଳିତ ହୋଇଯାଇଛି । ଜିଲ୍ଲାପରିଷଦ ନବରଙ୍ଗପୁର ତରଫରୁ ଏହା ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି ଉତ୍ସବର ବିଶିଷ୍ଟ ଅତିଥି ଭାବରେ ବିଧାୟକ ଡ଼ାବୁଗାଁ ତଥା ଅଧ୍ୟକ୍ଷ ଜିଲ୍ଲା ଯୋଜନା ବୋର୍ଡ ମନୋହର ରନ୍ଧାରି, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦେବୀ ପ୍ରସାଦ ତାଲି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଜିଲ୍ଲାପାଳ ଡକ୍ଟର ମିଶ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳନ ଅବସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶ, ଓଡିଶାର ବିକାଶ ପାଇଁ ଥିବା ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ୱ ସମ୍ପର୍କରେ ସ୍ମୃତି ଚାରଣ କରି ପଞ୍ଚାୟତିରାଜ ବିଧିବ୍ୟବସ୍ଥା ମଧ୍ୟରେ ପାରଦର୍ଶିତା ଓ ସହଭାଗିତାରେ ଜିଲ୍ଳାର ଉନ୍ନତି ଓ ବିକାଶ ପାଇଁ ସମସ୍ତେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଜିଲ୍ଳାର ତଥା ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କ୍ଷେତ୍ରରେ ମହିଳା ସଶକ୍ତିକରଣର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ବିଧାୟକ ଶ୍ରୀ ରନ୍ଧାରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରି ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟତମ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କଙ୍କ ସ୍ମୁତିଚାରଣ କରି ଓଡିଶାର ଉନ୍ନତୀ ଓ ପ୍ରଗତି ପାଇଁ ସେ କରିଯାଇଥିବା ଅନେକ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରି ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ପଞ୍ଚାୟତିରାଜ ବ୍ୟବସ୍ଥା ଏକ ଅବଲୋକନ ସଂମ୍ପର୍କରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି ଆଲୋକପାତ କରିଥିଲା ବେଳେ ଜିଲ୍ଳାର ଶିକ୍ଷିତ ଯୁବଗୋଷ୍ଠୀ କିପରି ଦିନଦୟାଲ ଉପାଧ୍ୟାୟ ଯୋଜନା ମାଧ୍ୟମରେ ଏହାର ସୁଯୋଗ ନେଇ ଉପକୃତ ହୋଇପାରିବେ ସେ ସମ୍ପର୍କରେ ଉପ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓରମାସ ଏ. ଉମା ମହେଶ ସୂଚନା ଦେଉଥିଲେ । ଏହି ଅବସରରେ ପଞ୍ଚାୟତିରାଜ ବିଧି ବ୍ୟବସ୍ଥାର ନଅ ଗୋଟି ବିଷୟ ଉପରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଗ୍ରାମ ପଞ୍ଚାୟତ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ରାଇଘର ବ୍ଲକର ରାଇଘର ଗ୍ରାମ ପଞ୍ଚାୟତକୁ ତିନି ଲକ୍ଷ ଟଙ୍କାର ଚେକ୍‌, ଦ୍ୱିତୀୟରେ ଚନ୍ଦାହାଣ୍ଡି ବ୍ଲକର ଚନ୍ଦାହାଣ୍ଡି ଗ୍ରାମ ପଞ୍ଚାୟତକୁ ଦୁଇ ଲକ୍ଷ ଟଙ୍କାର ଚେକ୍‌ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଚନ୍ଦାହାଣ୍ଡି ବ୍ଲକର ମାଲଗାଁ ପଞ୍ଚାୟତକୁ ଏକ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ, ଦେବୀ ପ୍ରସାଦ ଟାଲି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗ ଦିଲୀପ କୁମାର ଦାସ, ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ବିଭାଗ ଅଭିଜିତ ପାଢ଼ୀ, ଏସି.ଏଫ୍‌ ଧନୁର୍ଜୟ ମହାପାତ୍ର, ପିଏ ଆଇଟିଡିଏ ରାଜୀବ କୁମାର ସାହୁ ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବଶଙ୍କର ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରି, ଜିଲ୍ଲାପରିଷଦ ସଭ୍ୟ, ସଭ୍ୟା, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ସଭ୍ୟା, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ସଂସ୍କୃତି ପରିଷଦର ଓଡିଶୀ ନୃତ୍ୟ ଓ ସଙ୍ଗୀତ ବିଦ୍ୟାଳୟର କଳାକାରମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

nineteen − 19 =