ପୁରୀରେ ହେବନି ଦ୍ୱିତୀୟ ବ୍ଲୁ ଫ୍ଲାଗ ବିଚ୍‌

0 104

ପୁରୀ : ପୁରୀରେ ହେବନି ଦ୍ୱିତୀୟ ବ୍ଲୁ ଫ୍ଲାଗ ବିଚ୍‌ । ଚକ୍ରତୀର୍ଥ ବେଳାଭୂମିର ସୌନ୍ଦର୍ଯ୍ୟ କରଣ ସହ କରାଯିବ ବିକାଶମୂଳକ କାର୍ଯ୍ୟ । ବେଳାଭୂମି ସଂଘର ସଦସ୍ୟଙ୍କ ସହ ପ୍ରଶାସନର ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । କ୍ଷୁଦ୍ର ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚକ୍ରତୀର୍ଥ ବେଳାଭୂମିରେ ଶୌଚାଳୟ ସହ ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା କରାଯିବାକୁ ଥିବାବେଳେ ଆଜି ଜିଲ୍ଲାପାଳ ଏହି କାର୍ଯ୍ୟର ଅନୁକୂଳ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ଲୋଡିଛନ୍ତି ।
ପୁରୀ ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ଆଉ ନୂତନ ବ୍ଲୁ ଫ୍ଲାଗ ବିଚ୍‌ ହେବ ନାହିଁ । ଜିଲ୍ଲାପାଳ ସମର୍ଥ ବର୍ମା ଏହା ସ୍ପଷ୍ଟ କରିବା ସହ ଲିଖିତ ଭାବେ ଜଣାଇଛନ୍ତି । ଚକ୍ରତୀର୍ଥ ରୋଡରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ ବିଚକୁ ପୂର୍ବରୁ ତୀବ୍ର ବିରୋଧ କରାଯାଇଥିଲା । ପୁରୀ ବେଳାଭୂମି ସୁରକ୍ଷା ସମିତି ପକ୍ଷରୁ ବିଶାଳ ଶୋଭାଯାତ୍ରା ସହ ୨୬ ଦିନ ଧରି ଅହୋରାତ୍ର ଧାରଣା ମଧ୍ୟ ଦିଆଯାଇଥିଲା । ଫଳରେ ଦେଢ଼ ବର୍ଷ ଧରି କାର୍ଯ୍ୟ ବନ୍ଦ ରହିଥିଲା । ଶେଷରେ ଏହି ଆନ୍ଦୋଳନର ବିଜୟ ଘଟିଛି । ଚକ୍ରତୀର୍ଥ ବେଳାଭୂମିରେ ନୂତନ ବ୍ଲୁ ଫ୍ଲାଗ ବିଚ୍‌ ହେବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଆଜି ଚକ୍ରତୀର୍ଥ ବେଳାଭୂମିରେ ଶତାଧିକ କ୍ଷୁଦ୍ର ଓ ଉଠା ବ୍ୟବସାୟୀଙ୍କ ସହ ମହିଳା ବ୍ୟବସାୟୀଙ୍କ ଉପସ୍ଥିତିରେ ଖୋଦ୍‌ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଘଟଣାସ୍ଥଳକୁ ଆସି ବାଲିରେ ବସିବା ସହ ବ୍ଲୁ ଫ୍ଲାଗ ବିଚ୍‌ ହେବ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଏହାକୁ ସଭିଏଁ ସ୍ୱାଗତ କରିଛନ୍ତି ।
ତେବେ ୬ କୋଟି ଟଙ୍କା ବ୍ୟୟରେ ଚକ୍ରତୀର୍ଥ ବେଳାଭୂମିର ବିକାଶ ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେବ । କୌଣସି ଉଠା ଦୋକାନୀଙ୍କୁ ଏଠାରୁ ବିସ୍ଥାପିତ କରାଯିବ ନାହିଁ । ସେଭଳି ଏହି ବେଳାଭୂମିରେ ପରିଚାଳନା ସ୍ଥାନୀୟ ବ୍ୟବସାୟୀଙ୍କ ସହଯୋଗରେ ବିଚ୍‌ ଡେଭଲମେଣ୍ଟ କମିଟି ଦ୍ୱାରା କରାଯିବ । ବେଳାଭୂମିର ପରିଚାଳନା ପାଇଁ କୌଣସି ଘରୋଇ ସଂସ୍ଥାକୁ ଟେଣ୍ଡର ଦିଆଯିବ ନାହିଁ । ଏହି ବେଳାଭୂମିରୁ ଆଦାୟ ହେବାକୁ ଥିବା ଖର୍ଚ୍ଚରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବ୍ୟବସ୍ଥା ହେବ । ଏ ନେଇ ଲିଖିତ ଭାବେ ସଂଘକୁ ଜଣାଇ ଦିଆଯାଇଛି । ବିରୋଧ ଯୋଗୁଁ ଦୀର୍ଘ ଦେଢ଼ ବର୍ଷ ହେବ ଅଟକି ରହିଥିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଛି । ଜିଲ୍ଲାପାଳ ନଡ଼ିଆ ପିଟି ବେଳାଭୂମି ବିକାଶ କାର୍ଯ୍ୟର ଶୁଭାରମ୍ଭ କରିଥିବା ବେଳେ ଯାତ୍ରୀଙ୍କ ସୁବିଧା ନିମନ୍ତେ ହୋଟେଲ ଶଙ୍କର ଇଣ୍ଟରନ୍ୟାସନାଲ, ହଲିଡେ ରିସର୍ଟ, ପିଙ୍କ ହାଉସ ଠାରେ ଶୈଚାଳୟ ନିର୍ମାଣ ସହ ପାନୀୟ ଜଳ ବ୍ୟବସ୍ଥା ହେବ । ସେହିପରି ସିଟି ରୋଡ ସଂଲଗ୍ନ ବେଳାଭୂମିକୁ ଜବରଦଖଲ ମୁକ୍ତ କରାଯିବା ସହ ପାର୍କିଂ ଫି ଆଦାୟ ବେଳେ ପିପିପି ମୋଡ କଥା ବିଚାରକୁ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ବେଳାଭୂମିର ସୌନ୍ଦର୍ଯ୍ୟ କରଣ କରାଗଲେ ପର୍ଯ୍ୟଟକଙ୍କ ଆଗମନ ଆହୁରି ବଢିବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

5 + six =