ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚଳିତ ବର୍ଷ ଦ୍ୱିତୀୟ ମା ଭୈରବୀ ମହୋତ୍ସବ ଉଦଘାଟିତ ହୋଇଯାଇଛି । ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣ ଠାରୁ ମାଁଙ୍କ ଜ୍ୟୋତି ଓ ପ୍ରତିମାକୁ ନେଇ ଏକ ବିରାଟ ପଟୁଆର ସହିତ ଢୋଲ ମହୁରୀ, ଦଣ୍ଡ ନୃତ୍ୟ, ଏବଂ ବିଭିନ୍ନ ସାଂସ୍କୃତିକ ନୃତ୍ୟ ଗୀତ ରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନେଇ ମହୋତ୍ସବ ପଡ଼ିଆକୁ ଶୋଭାଯାତ୍ରାଟି ପହଂଚି ଥିଲା । ପ୍ରଥମେ ମୁଖ୍ୟ ଅତିଥି ଓଡିଶା ସରକାରଙ୍କ ମାନ୍ୟବର ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ମାଁ ଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ମହୋତ୍ସବକୁ ଉଦଘାଟିତ କରିଥିଲେ । ଅନ୍ୟପଟେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମୀନା, ଏମ୍ଜିଏମ୍ ଗ୍ରୁପ୍ ଲୋକାପଡା ପରିଚାଳନା ନିର୍ଦ୍ଦେଶକ ତନୁଜ ମହାନ୍ତି, ଭୁବନେଶ୍ୱର ସାଇକୃପା ଚାରି ଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସଦାଶିବ ଦାସ, ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲା, ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ ପ୍ରଧାନ, ଓ ମହୋତ୍ସବ କମିଟିର ସମ୍ପାଦକ ଅଶୋକ କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ମହୋତ୍ସବର ଉଦଘାଟିତ ସନ୍ଧ୍ୟାରେ ନଟରାଜ କଳା ପରିଷଦ ଫୁଲବାଣୀ ପକ୍ଷରୁ ଓଡ଼ିଶୀ ନୃତ୍ୟ, ସୁନ୍ଦରଗଡ଼ରୁ ଆସିଥିବା ସମ୍ବଲପୁରୀ ନୃତ୍ୟ, ସୋସିଆଲ ମିଡିଆ ର ଭାଇରାଲ କଳାକାରଙ୍କ ଦ୍ୱାରା ଝୁଲରେ ନିତାଇ ଝୁଲ, ଭୈରବୀ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ଗୀତ ଏବଂ ସୁନାମ ଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ସଙ୍ଗୀତ ପରିବେଶର କାର୍ଯ୍ୟକ୍ରମ କରାଯାଇଥିଲା । ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମହୋତ୍ସବର ପ୍ରଥମ ଶୀତୁଆ ସନ୍ଧ୍ୟାରେ ମୀନା ବଜାର, ପଲ୍ଲୀଶ୍ରୀ ମେଳା ଓ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ଷ୍ଟଲ୍ ଗୁଡିକରେ ଦର୍ଶକ ବେଶ୍ ଭିଡ଼ ପରିଲକ୍ଷିତ ହୋଇଥିଲା । ଉଦଘାଟିତ ପ୍ରଥମ ସନ୍ଧ୍ୟାରେ ମହୋତ୍ସବର ସମ୍ପାଦକ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ମହୋତ୍ସବର ସ୍ମରଣିକା ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଭୈରବୀ ଡିଗ୍ରୀ କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣୀଆ ମଞ୍ଚ ପରିଚାଳନା କରିଥିବା ବେଳେ କମିଟିର ସଦସ୍ୟ ବାଳକୃଷ୍ଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ସନ୍ଧ୍ୟାରେ ମହୋତ୍ସବ କମିଟିର ଆବାହକସୁକାନ୍ତ ପଟ୍ଟନାୟକଙ୍କ ସମେତ ବିଭୁଦତ୍ତ ବୋଷ, ସତୀଶ ବେହେରା, ସଜନ ଅଗ୍ରୱାଲା, କୈଳାସ ଅଗ୍ରୱାଲା, ସୁକାନ୍ତ ଦାସ, ମନୋଜ କୁମାର ସାହୁ, ମନୋଜ ପାଢି,ଶୁଭଜିତ୍ ପ୍ରଧାନ, ସୁବାସ କୁମାର ପ୍ରଧାନ, ପୁରନ୍ଦର ଠେଲା, ଅମୂଲ୍ୟ ମିଶ୍ର, ବିଜୟ କହଁର, ସତ୍ୟ ନାୟକ ପ୍ରମୁଖ କମିଟି ଅନନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ଟି ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇ ଆସନ୍ତା ୨୭ ତାରିଖ ରବିବାର ଦିନ ପର୍ଯ୍ୟନ୍ତ ଚାଲିବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି ।