ନାଏବ ସରପଞ୍ଚଙ୍କଠାରୁ ସୁନା ଚେନ୍‌ ଲୁଟ୍‌ କରିବା ପଡିଲା ମହଙ୍ଗା, ଆଉ ୩ ଅଭିଯୁକ୍ତ ଗିରଫ

0 93

ଦଶପଲ୍ଲା : ଦିନକୁ ଦିନ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରୀ, ଲୁଟ୍‌, ରାହାଜାନି ବୃଦ୍ଧି ପାଇବାରେ ଲାଗିଛି । ଦଶପଲ୍ଲା-ଭଂଜନଗର, ଦଶପଲ୍ଲା-ଫୁଲବାଣୀ, ମହିପୁର–ବାହାଡାଝୋଲା ରାସ୍ତାରେ ପ୍ରାୟ ସବୁ ସମୟରେ ଲୁଟ୍‌, ଡ଼କାୟତି ଲାଗି ରହୁଥିବାବେଳେ ଗତ ଶନିବାର ସନ୍ଧ୍ୟା ସମୟରେ ମହିପୁର-ବାହାଡାଝୋଲା ରାସ୍ତାରେ ଗାତେରୀ ପଞ୍ଚାୟତର ନାଏବ ସରପଞ୍ଚଙ୍କଠାରୁ ସୁନା ଚେନ୍‌ ଝାମ୍ପିନେଇଥିଲେ କିଛି ଦୁର୍ବୃତ୍ତ । ଏନେଇ ନୂଆଗାଁ ପୋଲିସ ପାଖରେ ଅଭିଯୋଗ କରାଯାଇଥିଲା । ପୋଲିସ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ, ନୂଆଗାଁ ବ୍ଲକ ମହିପୁର–ବାହାଡାଝୋଲା ରାସ୍ତାରେ ଡକାୟତଙ୍କ ଭୟରେ କେହି ପଥଚାରୀ ଯିବା ଆସିବା ପାଇଁ ସୁରକ୍ଷିତ ମନେ କରନ୍ତି ନାହିଁ । ଗତ ଶନିବାର ସନ୍ଧ୍ୟା ୬.୩୦ ମିନିଟ୍‌ ସମୟରେ ନାଏବ ସରପଞ୍ଚ ପ୍ରଶାନ୍ତ ଗନ୍ତାୟତ ଓ ମନ୍ମଥ ସାମଲ ଗାତେରୀ ଗ୍ରାମରୁ ବାଇକ ଯୋଗେ ମହିପୁର ଅଭିମୁଖେ ଯାଉଥିବା ସମୟରେ ସେମାନଙ୍କୁ ଛଅ ଜଣ ଯୁବକ ପିଛା କରିଥିଲେ । ନିଛାଟିଆ ସ୍ଥାନ ଦେଖି ପ୍ରଶାନ୍ତଙ୍କ ହାତକୁ ଏକ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିବା ସହ ବେକରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ । ଡକାୟତର ଶିକାର ହୋଇଥିବା ପ୍ରଶାନ୍ତ ଚାଲାକ କରି ମହିପୁର ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ପରେ ମହିପୁର ମେଡିକାଲ ଛକଠାରେ ଡକାୟତଙ୍କୁ ସ୍ଥାନୀୟ ଲୋକମାନେ କାବୁ କରି ନେଇଥିଲେ । ଉତ୍ତ୍ୟକ୍ତ ଲୋକେ ଡକାୟତଙ୍କ ବାଇକକୁ ଭାଙ୍ଗି ଦେଇଥିଲେ । ଖବର ପାଇ ନୂଆଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଶାନ୍ତଙ୍କ ଲିଖିତ ଅଭିଯୋଗ ଆଧାରରେ ଏକ ମାମଲା ରୁଜ୍ଜୁ କରିଥିଲା । ଦୁଇ ଡକାୟତ ପପୁ ନାଏକ ଏବଂ ଦଣ୍ଡ ନାଏକଙ୍କୁ ରବିବାର କୋର୍ଟଚାଲଣ କରାଯାଇଥିଲା । ତେବେ ଏହି ଘଟଣାରେ ଆଉ ୩ ଜଣ ସୁରେନ୍ଦ୍ର ନାଏକ, ବିଶାଳ ସୁବୁଦ୍ଧି ଏବଂ ପ୍ରଭାକର ଜେନାଙ୍କୁ ନୂଆଗାଁ ପୋଲିସ ଗିରଫ କରିବା ସହ କୋର୍ଟଚାଲାଣ କରିଛି । ତେବେ ଏହି ଘଟଣାରେ ୬ ଜଣ ସମ୍ପୃକ୍ତି ଥିବା ପ୍ରଶାନ୍ତ ଅଭିଯୋଗ କରିଥିବା ବେଳେ ଆଉ ଜଣେ ଡକାୟତର ସନ୍ଧାନ ମିଳିନାହିଁ । ତତ୍‌ସହିତ ପ୍ରଶାନ୍ତଙ୍କ ଠାରୁ ଚୋରୀ ହୋଇଥିବା ସୁନା ଚେନଟି ଫେରାର ଅଭିଯୁକ୍ତ ପାଖେ ଥିବା ପୋଲିସ ଅନୁମାନ କରୁଛି । ଏଭଳି ପରିସ୍ଥିତିରେ ମହିପୁର–ବାହାଡାଝୋଲା ରାସ୍ତାରେ ପୋଲିସ ପାଟ୍ରୋଲିଂକୁ ଜୋରଦାର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × 5 =