ହାଇକୋର୍ଟ ବେଞ୍ଚ ପାଇଁ ଓକିଲ ସଂଘର ଆନ୍ଦୋଳନ ଯୋଗୁଁ ସମସ୍ତ କୋର୍ଟ କଚେରୀ ବନ୍ଦ

0 75

ସମ୍ବଲପୁର: ସମ୍ବଲପୁରରେ ଓଡ଼ିଶା ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ ଯୋଗୁଁ ଏଠାରେ କୋର୍ଟ କଚେରୀ ସବୁ ବନ୍ଦ ରହିଛି । ସ୍ଥାନୀୟ କଚେରୀ ଛକରେ ଓକିଲମାନେ ପିକେଟିଙ୍ଗରେ ବସିଥିବାରୁ ଜିଲ୍ଲା ଜଜ ଓ ତାଙ୍କ ସହଯୋଗୀ ବିଚାର ବିଭାଗୀୟ ଅଧିକାରୀମାନେ ନିଜ ନିଜ କାର୍ଯ୍ୟାଳୟକୁ ଯାଇ ପାରିଲେ ନାହିଁ ଓ ସେଠାରୁ ଘରକୁ଼ ଫେରି ଯିବାକୁ ବାଧ୍ୟ ହୋଇଥିଲେ । ସେହିପରି ଉତ୍ତରାଞ୍ଚଳ ରାଜସ୍ୱ କମିଶନର, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲ ଆଦି ସବୁ କାର୍ଯ୍ୟାଳୟ ଆଜି ଏହି ଆନ୍ଦୋଳନ ଯୋଗୁଁ ମଧ୍ୟ ବନ୍ଦ ରହିଛି । ପଶ୍ଚିମାଞ୍ଚଳରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ବିଗତ ପାଞ୍ଚ ଦଶନ୍ଧି ଧରି ଆନ୍ଦୋଳନ ଲାଗି ରହିଛି । ଇତିମଧ୍ୟରେ ଏହି ଅଞ୍ଚଳର ପ୍ରାୟ ସବୁ ଓକିଲ ସଂଘ ତାଙ୍କର ଏକତାର ପରିଚୟ ଦେଇ ଏଥିପାଇଁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏମଡି) ଗଠନ କରିଛନ୍ତି । ବିଗତ ଦିନରେ ଏହି ସିଏସିର ଏକ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି କି ଏଣୁ ଏଣିକି ଏହି ଆନ୍ଦୋଳନକୁ ତୀବ୍ରରୁ ତୀବ୍ରତର କରାଯିବ ଓ ସମ୍ବଲପୁରରେ ହିଁ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଦାବି ରହିବ । ଏଣୁ ସିଏସିର ଏହି ସାମୂହିକ ନିଷ୍ପତ୍ତି ଯୋଗୁଁ ରାଜ୍ୟ ସରକାରଙ୍କୁ ତାଙ୍କର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରିବାକୁ ସୁବିଧା ହୋଇପାରିବ । ଏହି ପୂର୍ଣ୍ଣାଙ୍ଗ ରିପୋର୍ଟ ଅପେକ୍ଷାରେ ସେପଟେ କେନ୍ଦ୍ର ସରକାର ମଧ୍ୟ ଅଟକି ରହିଛନ୍ତି । ସେପଟେ ଜନ ଆନ୍ଦୋଳନ ଓ ଓକିଲ ସଂଘର ଦୃଢତା ସମ୍ମୁଖରେ ରାଜ୍ୟ ପ୍ରଶାସନ ମୁଣ୍ଡ ନୂଆଁଇଲେ । ଯେଉଁ ଚିଠି ପାଇଁ ଗତ କିଛି ବର୍ଷ ହେଲା ତୁମ୍ଭିତୋଫାନ ହୋଇ ଆସୁଛି ସେହି ଚିଠି ଜାରି କରାଗଲା । ବିଗତ ୩୧ ଅକ୍ଟୋବର ଦିନ ଗୃହ ବିଭାଗ (ହାଇକୋର୍ଟ)ର ଅତିରିକ୍ତ ସଚିବଙ୍କୁ ପତ୍ର ଲେଖିଲେ ଆଇନ ବିଭାଗର ଅତିରିକ୍ତ ସଚିବ । ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବା ପାଇଁ ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିରେ ସମ୍ପୃକ୍ତ ସମଗ୍ର ସରକାରୀ ବିଭାଗ ମୁଖ୍ୟଙ୍କ ପକ୍ଷରୁ ମତାମତ ନିଆଯାଇ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ରହିଛି ।

hiranchal ad1
Leave A Reply

Your email address will not be published.

twenty − three =