ଖପ୍ରାଖୋଲ : ସରକାର ଗରିବ ଅସହାୟ ତଥା ଆର୍ଥିକ ଅନଗ୍ରସରମାନଙ୍କ ପାଇଁ ଯେଉଁ ସବୁ ଯୋଜନା କାର୍ଯକାରୀ କରିଛନ୍ତି ସେଥିରୁ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ରହି ଦୟନିୟ ଅବସ୍ଥାରେ ଦିନ କାଟୁଛନ୍ତି । ଏପରି ଏକ ପରିବାର ରହୁଛନ୍ତି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଟଙ୍କପାଣି ପଞ୍ଚାୟତ ସଦର ଗ୍ରାମରେ । ପରିବାର କହିଲେ ରୁପା ହଂସ ସ୍ତ୍ରୀ ଦୁଲ୍ଲନା ୫୭ ବର୍ଷ ଓ ପୁଅ ପବିତ୍ର ହଂସ ୧୪ ବର୍ଷ । ରୁପା ହଂସ ଅସହାୟ ସ୍ତ୍ରୀ ଓ ନାବାଳକ ପୁତ୍ର ସେ ମଧ୍ୟ ସେତେଟା ଚାଲାକ ନୁହେଁ ତାଙ୍କ ଘର ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଘରେ ସ୍ତ୍ରୀ ଦୁଲ୍ଲନା ଯେକି ଭଲ ଭାବେ କଥା କହି ପାରୁନାହାନ୍ତି । ତାଙ୍କର ଅଣ୍ଟାରୁ ତଳକୁ ଅଚଳ ଯୋଗୁ ଦୁଇ ହାତ ସାହାଯ୍ୟରେ ଯିବା ଆସିବା କରୁଛନ୍ତି । ମାନସିକବିକୃତ ଯୋଗୁ କୌଣସି କାର୍ଯ୍ୟ କରିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ । ନାବାଳକ ଉପରେ ପରିବାର ବୋଝ ସହ ମାଁଙ୍କ ସେବା କରିବା ସହିତ ଜଙ୍ଗଲକୁ ଯାଇ ଜାଳେଣି କାଠ ସଂଗ୍ରହ କରି ଆଣି ରୋଷେଇ କରି ଖାଉଛନ୍ତି । ପରିବାରର ଆୟ କହିଲେ ପଞ୍ଚାୟତରୁ ୧୫ କିଲୋ ଚାଉଳ । ସାମାନ୍ୟ ଜମି ଅଛି ତାହା ଚାଷ କରୁନାହାନ୍ତି । ଆବାସ ଯୋଜନାରୁ ଘର ଖଣ୍ଡେ ପାଇଛନ୍ତି ହେଲେ ଟଙ୍କା ଅଭାବରୁ କଂକ୍ରିଟ ଛାତ ପକାଇ ନପାରି ଆଜବେଷ୍ଟର ଛାଉଣି କରି ରହୁଛନ୍ତି । ଶେଷ କିସ୍ତି ଟଙ୍କା କିମ୍ବା ମନରେଗା ଟଙ୍କା ଦୀର୍ଘ ଦିନ ହେଲା ପାଇପରି ନାହାନ୍ତି । ପୂର୍ବରୁ ଦୁଲ୍ଲନା ସମ୍ପୂର୍ଣ୍ଣ ସୁସ୍ଥ ରହି ଘରର ସମସ୍ତ କାର୍ଯ୍ୟ କରୁଥିଲେ ଓ ସ୍ୱାମୀଙ୍କ ସହ ମିଶି ଦାଦନ ଖଟିବାକୁ ଯାଇଥିଲେ । କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଅସହାୟ ଅନ୍ୟ ଉପରେ ନିର୍ଭରଶୀଳ । ପୁତ୍ର ତାଙ୍କର ପାଠ ପଢ଼ିବା ଖେଳିବା ବୁଲିବା ବୟସରେ ପରିବାରର ବୋଝକୁ ମୁଣ୍ଡେଇ ଚାଲିଛନ୍ତି । ଅନେକ ସମୟରେ ଅଭାବ ଯୋଗୁ ରୋଷେଇ ନହେଲେ ନାବାଳକ ଭୋକ ସମ୍ଭାଳି ନ ପାରି ପରିଚିତ ଘରକୁ ଯାଇ ଖାଇଦିଏ ଏପଟେ ବିଚାରି ମାଁ ଭୋକରେ ଆଉଟୁ ପାଉଟୁ ହେଉଥିବା ଦେଖି ପାଖରେ ରହୁଥିବା ରୁପାର ଭାଇ ଲାଲମନ ହଂସ ଓ ସ୍ତ୍ରୀ ପିରବତୀ ହଂସଙ୍କ ପରିବାର ଖାଇବାକୁ ଦେଇଥାନ୍ତି ବୋଲି କହିଛନ୍ତି । ସେମାନେ ଆହୁରି କୁହନ୍ତି ଆମେ ଦାଦନ ଖଟିବାକୁ ଗଲେ ଅମର ନବମ ଶ୍ରେଣୀରେ ପଡୁଥିବା ଝିଅ ଦୁଶିଲା ତାଙ୍କର ଦୁଃଖ ଦେଖି ସହିନପାରି ସମୟ ଅସମୟରେ ରୋଷେଇ କରି ଖାଇବାକୁ ଦେଇଥାଏ । ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇବା ପାଇଁ ଦୁଲ୍ଲନା ଖପ୍ରାଖୋଲ ବ୍ଲକରେ ଅନୁଷ୍ଠିତ ଭିନ୍ନକ୍ଷମ ଶିବିରକୁ ଯାଇଥିଲେ । ଅନଲାଇନ ଆବେଦନ କରାଯିବା ଜାଣି ଫେରି ଆସିଥିଲେ । କେହି ତାଙ୍କୁ ଦୟା ପାରବସ ହୋଇ ଅନଲାଇନରେ ଆବେଦନ କରିଦେବାର ବ୍ୟବସ୍ଥା କରି ନାହାନ୍ତି । ଶେଷରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ତାଙ୍କ ପରିବାର ପକ୍ଷରୁ ଅର୍ଥର ଅଭାବ ହେତୁ ତାଙ୍କୁ ଚିକିତ୍ସା କରାଇବା ଆମ୍ଭବ ହେଉନାହିଁ । ଖାଦ୍ୟର ଅଭାବ ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରାଇବା ତାଙ୍କ ପାଇଁ ସ୍ୱପ୍ନ । ସବୁଠୁ ଆଶ୍ଚର୍ଯ୍ୟର କଥା ଆଜକୁ ବାର ବର୍ଷ ହେଲା ଅସହାୟ ମହିଳା ଗାଧୋଇ ନାହାନ୍ତି । ପରିବାର ପକ୍ଷରୁ ପୁଅ ପବିତ୍ର ତାଙ୍କ ମାଁଙ୍କୁ ଅନ୍ତଦୟ କାର୍ଡ ପ୍ରଦାନ କରି ୩୫ କିଲୋ ଚାଉଳ , ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳିବ ବ୍ୟବସ୍ଥା କରାଇ ଭତ୍ତା ପ୍ରଦାନ ସାଙ୍ଗକୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ପ୍ରଶାସନ ଏହି ଗରିବ ଅସହାୟ ପରିବାରକୁ ସାହାଯ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ।