କଟକ: ବହୁ ଚର୍ଚ୍ଚିତ ମାନସ ହତ୍ୟା ମାମଲା ଘନେଇବାରେ ଲାଗିଛି । ଗତକାଲି ୨ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିଲା । ଏହି ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାମ୍ବାଦିକା ଶର୍ମିଷ୍ଠା ରାଉତ ଆଗୁଆ ଜାମିନ ଆବେଦନ କରିଥିଲେ । ଓଡ଼ିଶା ହାଇକୋର୍ଟ ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ମାନସ ହତ୍ୟା ଘଟଣାପରଠୁ ପୁଲିସ ଶର୍ମିଷ୍ଠାଙ୍କୁ ଖୋଜୁଥିବା ବେଳେ ତାଙ୍କର ପତ୍ତା ପାଇ ପାରୁନାହିଁ ।
ମାନସ ସ୍ୱାଇଁ ହତ୍ୟା ମାମଲାରେ ଗତକାଲି ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ଅନ୍ୟ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା । ନିରଞ୍ଜନ ଓ ଅନ୍ୟ ଅଭିଯୁକ୍ତକୁ ଏବେ ରିମାଣ୍ଡରେ ନ ନେବାକୁ ସ୍ଥିର କରିଛି ଭଦ୍ରକ ପୁଲିସ । ଆଜି ଏନେଇ ଭଦ୍ରକ ଅତିରିକ୍ତ ଏସ୍ପି ଯତୀନ ପଣ୍ଡା କହିଛନ୍ତି । ସେ କହିଛନ୍ତି ନିରଞ୍ଜନଙ୍କୁ ଏବେ ରିମାଣ୍ଡରେ ନେବାର ଯୋଜନା ନାହିଁ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଧରାପଡ଼ିବା ପରେ ଆବଶ୍ୟକ ହେଲେ ନିରଞ୍ଜନଙ୍କୁ ରିମାଣ୍ଡରେ ନିଆଯିବ । ତେବେ ଶର୍ମିଷ୍ଠା ଧରାପଡ଼ିବା ଯାଏ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି