ଫୁଲବାଣୀକୁ ରେଳ ସଂଯୋଗ ନେଇ ଜାନୁଆରୀ ୩୦ ଭୁବନେଶ୍ୱରରେ ହେବ ଆନ୍ଦୋଳନ

0 210

ଫୁଲବାଣୀ: ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳ ପଥକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୋକନ୍‌ ରାଶି ପ୍ରଦାନ ହେବା ପରେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସର୍ଭେ ସଂସ୍ଥା ଓରିଡିଲ୍‌ କନ୍ଧମାଳ ପ୍ରତି ବୈମାତୃକ ମନୋଭାବ ରଖି ଏହି ରେଳପଥରୁ ଫୁଲବାଣୀକୁ ବାଦ୍‌ ପକାଇ ଡିପିଆର୍‌ ପ୍ରସ୍ତୁତ କରିଛି । ଏହାକୁ ନେଇ ସମ୍ପୁର୍ଣ୍ଣ କନ୍ଧମାଳ ଜିଲ୍ଲାରେ ଆକ୍ରୋଶର ମନୋଭାବ ଦେଖାଯାଉଥିବା ବେଳେ ବହୁବାର ଦାବିପତ୍ର ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା କିନ୍ତୁ ରାଜ୍ୟ ସରକାର ନିଦାବିଷ୍ଣୁ ରହିବା ଯୋଗୁଁ ନଭେମ୍ବର ୧୦ ତାରିଖ ଦିନ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ କନ୍ଧମାଳ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା ଯାହାକି କନ୍ଧମାଳ ବାସି ବନ୍ଦକୁ ଅଭୂତପୂର୍ବ ଭାବେ ସଫଳ କରାଇଥିଲେ । ଆଜିକୁ ବନ୍ଦ ଡାକରାର ଦେଢ଼ମାସ ବିତି ସାରିଥିଲେ ସୁଦ୍ଧା ରାଜ୍ୟ ସରକାର କିମ୍ବା ତାଙ୍କ ଅଧିନରେ ଥିବା ସର୍ଭେ ସଂସ୍ଥା ଓରିଡିଲ୍‌ କୌଣସି ସ୍ପଷ୍ଟୀକରଣ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ଜମି ଯୋଗାଇ ନଦେଲେ କେନ୍ଦ୍ର ପକ୍ଷରୁ କୌଣସି ପ୍ରକଳ୍ପ ଆଗେଇ ନପାରିବାର ନିୟମ ଥିବାବେଳେ କନ୍ଧମାଳିଆଙ୍କ ଦୀର୍ଘ ୩୦ ବର୍ଷର ସ୍ୱପ୍ନ ନିଜ ମାଟିରେ ରେଳ ଦେଖିବା ଆଜି ବାସ୍ତବରେ ପରିଣତ ହୋଇ ପାରୁନାହିଁ ବୋଲି ଫୁଲବାଣୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି କନ୍ଧମାଳ ବିକାଶ ପରିଷଦର ଆବାହକ ତଥା ଯୁବନେତା ଗୋଲକ ବିହାରୀ କଅଁର ବିକ୍ଷୋଭ ପ୍ରକାଶ କରିଛନ୍ତି । କନ୍ଧମାଳ ଜିଲ୍ଲା ଏକ ବଣ ଜଙ୍ଗଲ ଘେରା ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାବେଳେ ଏଠାକୁ ରେଳ ସଂଯୋଗ ହୋଇପାରିଲେ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ ବ୍ୟବସାୟ, ଯାତାୟାତ, ତଥା ଜିଲ୍ଲାରେ ଥିବା ଅନେକ ଗୁଡ଼ିଏ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇପାରିବ କିନ୍ତୁ ରାଜ୍ୟ ସରକାର ଜାଣି ଜାଣି ଏହାକୁ କରାଇ ଦେଉନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କନ୍ଧମାଳ ପ୍ରତି ସରକାରଙ୍କ ଏହି ବୈମାତୃକ ମନୋଭାବ ବିରୋଧରେ ଆସନ୍ତା ଜାନୁୟାରୀ ୩୦ ତାରିଖ ସୋମବାର ଦିନ କନ୍ଧମାଳର ୧୦,୦୦୦ରୁ ଉଦ୍ଧ୍ୱର୍ ମହିଳା, ପୁରୁଷ, ଯୁବକଯୁବତୀ, ବୃଦ୍ଧ ବୃଦ୍ଧା ତଥା ଚାଷୀ, ମୂଲିଆ, ଚାକିରିଆ ସମସ୍ତଙ୍କୁ ନେଇ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଭୁବନେଶ୍ୱର ଠାରେ ବିକ୍ଷୋଭପ୍ରଦର୍ଶନ ତଥା ଆନ୍ଦୋଳନ ହେବ । କନ୍ଧମାଳର ଜିଲ୍ଲା ସଦରମହକୁମାକୁ ରେଳ ସଂଯୋଗ ନହେବା ଯାଏଁ ଏ ଲଢେଇ ଜାରି ରହିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କଅଁର କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସାହୁ ରଘୁପତି କଅଁର, ଶିବାଶିଷ ପଣ୍ଡା ଗୌତମ ମଲିକ ଅମରେନ୍ଦ୍ର ବେହେରା, ରତନ ଚୌଧୁରୀ,ଭିକି ପ୍ରଧାନ,ଆଶିଷ ନାୟକ,ଧିରେନ୍‌ ମହାନ୍ତି,ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

16 − 8 =