ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କଳଶାଖମଣ ଗ୍ରାମ ପଞ୍ଚାୟତର ମଢିକୁମ୍ପା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଗୃହନିର୍ମାଣ ଦାବୀରେ ଗୁରୁବାର ଦିନଠାରୁ ମହିଳା ଜୀବିକା ସୁରକ୍ଷା ମଞ୍ଚ, ନୟାଗଡ ପକ୍ଷରୁ ଦଶପଲ୍ଲା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ଦିବା ରାତ୍ର ଗଣଧାରଣା ଆରମ୍ଭ ହୋଇଛି । ବିଦ୍ୟାଳୟ ଛାତରୁ ପାଣି ଗଳୁଥିବାବେଳେ ଘରଗୁଡିକ ବିପଦଶଙ୍କୁଳ ହୋଇପଡିଛି । ପାନୀୟଜଳ ଓ ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ । ବାରମ୍ବାର ଦାବୀ ସତ୍ତେ୍ୱ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହା ପୂର୍ବରୁ ଲିଖିତ ଅଭିଯୋଗ ହୋଇଥିଲା ଏବଂ ସାତ ଦିନ ପରେ ଆନ୍ଦୋଳନ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ । ପୂର୍ବ ନିଷ୍ପତ୍ତି ମୁତାବକ ଗୁରୁବାର ଦିନଠାରୁ ମଂଚ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯଦି କୌଣସି ଲିଖିତ ପ୍ରତିଶୃତି ନ ଦିଅନ୍ତି ତାହା ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସଂଘ ତରଫରୁ ଚେତାବନୀ ଦେଇଛନ୍ତି ।