୧୦ ବର୍ଷ ପରେ ପୁଅକୁ ଫେରି ପାଇଲେ ପରିବାର ଲୋକେ, ଜିଲା ପ୍ରଶାସନ ବଢାଇଲା ସହଯୋଗର ହାତ

0 79

ବୌଦ୍ଧ : ୧୦ ବର୍ଷ ହେଲା ନିଖୋଜ ରହିଥିବା ପୁଅ ମରିଯାଇଥିବ ଭାବି ଶୁଦ୍ଧିକ୍ରିୟା କରିବାକୁ ବନ୍ଧୁପରିଜନ ପରାମର୍ଶ ଦେଉଥିବା ବେଳେ ହଠାତ୍‌ ପୁଅ ଜୀବିତ ରହିଥିବା ନେଇ ଖବର ପାଇଥିଲେ ପରିବାର ଲୋକ । ପୁଅ ଜୀବିତ ରହିଥିବା ଖବର ପାଇ ଖୁସିରେ ଆତ୍ମହରା ହୋଇ ପଡିଥିଲେ ପରିବାରର ଲୋକେ । ବୌଦ୍ଧର ଅନ୍ୟତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପକ୍ଷରୁ ଏନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ବିହାରରୁ ୧୦ ବର୍ଷ ତଳେ ସାମାନ୍ୟ ମାନସିକ ବିକୃତି ସାଙ୍ଗକୁ ନିଶା ସେବନର କୁଅଭ୍ୟାସ ଫଳରେ ମିଟୁ ପାଣ୍ଡେ ନାମକ ଯୁବକ ଘର ଛାଡି କୁଆଡେ ପଳାଇଥିଲେ । ଘର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ଖବର ପାଇପାରିନଥିଲେ । ଅନ୍ୟପଟେ ବୌଦ୍ଧରେ ମାନସିକ ବିକୃତି ଥିବା ଜଣେ ଯୁବକ ନିଶା ସେବନ କରି ଦିନ ସାରା ଶାନ୍ତଶିଷ୍ଟ ଭାବରେ ବଜାର ମଧ୍ୟରେ ପରିଭ୍ରମଣ କରୁଥିଲେ । ଏହାକୁ ଠାବ କରିଥିଲେ ଉତ୍ସର୍ଗର ଆବାହକ ସଂପଦ ଅଗ୍ରୱାଲ ଓ ସଦସ୍ୟ ଲୋକନାଥ ଗୁପ୍ତା । ବହୁଦିନ ଧରି ନିଶାଗ୍ରସ୍ତ ଅବସ୍ଥାରେ ରହୁଥିବା ଯୁବକ ସହିତ କଥାବାର୍ତ୍ତା ହୋଇ ପରିବାର ସଂପର୍କରେ ସୂଚନା ହାସଲ କରିଥିଲେ । ସ୍ୱଳ୍ପ ସୂଚନାକୁ ଆଧାର କରି ଅନେକ ଖୋଜାଖୋଜି କରିବା ପରେ ମିଟୁର ଘର ବିହାରର ଲକ୍ଷିସରାୟ ଜିଲା ଅନ୍ତର୍ଗତ ମସହୋରା ଗ୍ରାମ ସଂପର୍କରେ ଜଣାପଡିଥିଲା । ପରେ ସେଠାକାର ସରପଞ୍ଚଙ୍କ ସହ ଯୋଗାଯୋଗ କରି ମିଟୁର ପରିବାରଙ୍କୁ ମିଟୁ ସଂପର୍କରେ ସୂଚନା ଦିଆଯାଇଥିଲା । ପ୍ରଥମରୁ ଅବିଶ୍ୱାସ କରୁଥିବା ପରିବାର ଲୋକଙ୍କୁ ମିଟୁର ଫଟୋ ପଠାଇବା ସହିତ ଅନେକ ଆଲୋଚନା କରିବା ପରେ ସେମାନେ ବୁଝିପାରିଥିଲେ । ପରେ ମିଟୁର ବାପା ଦିଲିପ କୁମାର ପାଣ୍ଡେ , ଭିଣୋଇ ସୁଧାକର ପାଣ୍ଡେ, ଭାଇ ସୋନୁ ପାଣ୍ଡେ ଓ ଗୁଡୁ ପାଣ୍ଡେ ବୌଦ୍ଧ ଆସି ପହଁଚିଥିଲେ । ମିଟୁ ସହିତ ଭେଟ ହେବା ସହିତ ମିଟୁର ଅବସ୍ଥା ଦେଖି ତାର ବାପାର ଆଖିରୁ ମଧ୍ୟ ଲୁହ ଝରିପଡିଥିଲା । ଉତ୍ସର୍ଗର ସଦସ୍ୟମାନଙ୍କ ସହାୟତାରେ ମିଟୁର ବାଳଦାଢୀ କଟାଯିବା ସହ ଗାଧୋଇ ନୂଆ ଡ୍ରେସ ପିନ୍ଧାଯାଇଥିଲା । ଏସବୁ ହେବାପରେ ତାକୁ ଘରକୁ କିପରି ସୁରକ୍ଷିତ ଭାବେ ଫେରାଇ ନିଆଯିବ ସେନେଇ ସମସ୍ୟା ଦେଖାଦେଇଥିଲା । ମିଟୁର ବାପାଙ୍କ ଆର୍ଥିକ ସ୍ୱଚ୍ଛଳ ଭଲ ନଥିବାରୁ ଗାଡି କରି ବିହାରକୁ ନେବା ସମ୍ଭବ ହୋଇପାରୁନଥିଲା । ଏହି ସମୟରେ ଜିଲା ପ୍ରଶାସନ ସହଯୋଗର ହାତ ବଢାଇଥିଲା । ଜିଲାପାଳ ସତ୍ୟରଂଜନ ସାହୁ ସମସ୍ତ ବିଷୟରେ ଅବଗତ ହେବାପରେ ପ୍ରଶାସନ ପକ୍ଷରୁ ରେଡକ୍ରସ ମାଧ୍ୟମରେ ଏକ ଗାଡି ଯୋଗାଇ ଦେଇଥିଲେ । ଜିଲାପାଳ ସତ୍ୟରଂଜନ ସାହୁ ମିଟୁ ଓ ତାର ପରିବାର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ସହିତ ୧୦ ବର୍ଷ ପରେ ହେଲେବି ପରିବାର ଲୋକେ ହଜିଯାଇଥିବା ପୁଅକୁ ଫେରିପାଇଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଉତ୍ସର୍ଗର ସଦସ୍ୟ ଦିପକ ଅଦର, ମିଥୁନ ସାହୁ, ବିନୋଦ ଗୁପ୍ତା, ଦେବାଶିଷ ପୁରୋହିତ, ସାମ୍ବାଦିକ ସତ୍ୟନାରାୟଣ ପାଣି ପ୍ରମୁଖ ସହଯୋଗ କରିଥିଲେ । ମିଟୁ ଓ ତାର ପରିବାର ଲୋକେ ଜିଲାପାଳଙ୍କୁ ସାକ୍ଷାତ କରିବା ସମୟରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଡିଆଇପିଆରଓ ରିତାକାନ୍ତି ବଳିୟାର ସିଂଙ୍କ ସମତେ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

12 − 9 =