୫ମ ଓଡିଶା ଟ୍ରାଭେଲ ବଜାରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

0 210

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ୍‌ କୋଣାର୍କଠାରେ ଓଡିଶା ଟ୍ରାଭେଲ ବଜାରର ୫ମ ସଂସ୍କରଣର ଉଦଘାଟନ କରିଛନ୍ତି । ଆଜି ଏହି ପ୍ରଦର୍ଶନୀରେ ୧୮ଟି ରାଜ୍ୟରୁ ୭୦ରୁ ଅଧିକ ଘରୋଇ ଟୁର ଅପରେଟର ଅଂଶଗ୍ରହଣ କରିବା ସହିତ ନିଜ ଟୁରିଜିମ ପ୍ରଡକ୍ଟଗୁଡିକୁ ପ୍ରଦର୍ଶିତ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ନିକଟ ଅତୀତରେ ଓଡିଶା ଅନେକ ଉତ୍କୃଷ୍ଟ ପର୍ଯ୍ୟଟନ ଅନୁଭୂତି ସୃଷ୍ଟି ଓ ଆରମ୍ଭ କରିବା ପାଇଁ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଆନ୍ତର୍ଜାତୀୟ ମାନକ ସହ ମେଳ ଖାଇବା ପାଇଁ ପ୍ରମୁଖ ପର୍ଯ୍ୟଟନ ଉତ୍ପାଦଗୁଡିକ ଉପରେ କେନ୍ଦ୍ରିତ ଉତ୍ପାଦଗୁଡିକ ସହିତ ଓଡିଶା କେବଳ ଭ୍ରମଣ ଓ ଆତିଥ୍ୟ ବ୍ୟବସାୟର ଉତ୍କୃଷ୍ଟତମ ବ୍ରାଣ୍ଡଗୁଡିକୁ ଆକର୍ଷିତ କରିବାକୁ ସକ୍ଷମ ହେବନାହିଁ ବରଂ ଏକ ସତେଜ ଦୃଷ୍ଟିକୋଣ ସହ ସ୍ୱତନ୍ତ୍ର ଅଭିଜ୍ଞତାର ସନ୍ଧାନ କରୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ।
ଏହି ଅବସରରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ରାଜ୍ୟର ପ୍ରଚାର ପ୍ରସାର ପାଇଁ ଓଡିଶା ଟୁରିଜିମର ପଦକ୍ଷେପଗୁଡିକ ଉପରେ ଏକ ଉପସ୍ଥାପନା ଦେଇଥିଲେ । ଇକୋ ଟୁର୍‌ ନେଚର କ୍ୟାମ୍ପଗୁଡିକୁ ବନ ବିଭାଗ ଦ୍ୱାରା ସ୍ଥାନୀୟ ସମୁଦାୟଗୁଡିକର ଅଂଶଗ୍ରହଣ ମାଧ୍ୟମରେ ପରିଚାଳନା କରାଯାଉଛି ଯାହା ସ୍ଥାୟୀ ଓ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଉପରେ ରାଜ୍ୟର ଏକ ବ୍ୟବସ୍ଥା ଅଟେ ।”
ଏହି ଅବସରରେ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଏବଂ ସ୍ୱସ୍ତି ଗ୍ରୁପ୍ର ସିଏମଡି ଡା. ଲେନିନ୍‌ ମହାନ୍ତି ସମଗ୍ର ବିଶ୍ୱରେ ଭ୍ରମଣ ଓ ପର୍ଯ୍ୟଟନ ଶିଳ୍ପର ହିତାଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ଏବଂ ସେମାନଙ୍କୁ ରାଜ୍ୟର ଟୁରିଜିମ ପ୍ରଡକ୍ଟଗୁଡିକର ଅନୁଭୂତି ପାଇବାରେ ସାହାଯ୍ୟ କରିବା କ୍ଷେତ୍ରରେ ଓଡିଶା ଟ୍ରାଭେଲ ବାଜାରର ମହତ୍ୱ ସମ୍ପର୍କରେ କହିଥିଲେ । ଏହାଦ୍ୱାରା ଭ୍ରମଣ ସମୁଦାୟ ହେଉ କିମ୍ବା ନିବେଶକ, ଲକ୍ଷିତ ଦର୍ଶକଙ୍କ ନିକଟରେ ଓଡିଶାର ଦକ୍ଷ ପ୍ରଚାର ପ୍ରସାର ହୋଇପାରିବ ।
ସ୍ୱସ୍ତି ଗ୍ରୁପ୍ର ସିଏମଡି ଡଃ ଜେକେ ମହାନ୍ତି ଟୁର୍‌ ଅପରେଟର ଓ ଟ୍ରାଭେଲ ଏଜେଂଟ୍‌ ସମୁଦାୟର ମହତ୍ୱ ଏବଂ କିଭଳି ଏହି କାର୍ଯ୍ୟକ୍ରମରେ ସେମାନଙ୍କର ଯୋଗଦାନ ଅନେକ ବ୍ୟବସାୟ ସୁଯୋଗକୁ ସକ୍ଷମ କରିବ ଏବଂ ଭ୍ରମଣ ସମୁଦାୟ ପାଇଁ ଉତ୍ସାହଜନକ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଓ ଅନୁଭୂତିର ଏକ ଶୃଙ୍ଖଳା ପ୍ରଦାନ କରିବ ସେସମ୍ପର୍କରେ କହିଥିଲେ ।
ଓଡିଶା ଟ୍ରାଭେଲ ବଜାରର ଏହି ୫ମ ସଂସ୍କରଣ କେବଳ ସାରା ବିଶ୍ୱର ଭ୍ରମଣ ଏବଂ ପର୍ଯ୍ୟଟନ ଶିଳ୍ପର ଅଂଶୀଦାରମାନଙ୍କ ସହ ବାର୍ତ୍ତାଳାପ କରିବା ପାଇଁ ନୁହେଁ ବରଂ ସେମାନଙ୍କୁ ଆମର ଉତ୍ପାଦକୁ ଅନୁଭବ କରାଇବା ପାଇଁ ଏକ ପ୍ଲାଟଫର୍ମ ଯାହା ଦ୍ୱାରା ସେମାନେ ଆମ ରାଜ୍ୟକୁ ଦକ୍ଷତାର ସହ ଉଦ୍ଦିଷ୍ଟ ଦର୍ଶକଙ୍କ ନିକଟରେ ମାର୍କେଟିଂ କରିପାରିବେ ।
ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ଆର ଯାଦବଙ୍କ ନେତୃତ୍ୱରେ ‘ଓଡିଶାର ପର୍ଯ୍ୟଟନ ସମ୍ଭାବନାର ଉନ୍ମୋଚନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ସ୍ୱସ୍ତି ଗ୍ରୁପ ସିଏମଡି ଡା. ଜେ.କେ ମହାନ୍ତି, ଆଟମୋସଫିୟର ହୋଟେଲ ଆଣ୍ଡ ରିସୋର୍ଟସର ସୌଭାଗ୍ୟ ମହାପାତ୍ର, କାମତ ହୋଟେଲର ର୍ନିେଶକ ବିଶାଲ କାମତ, ମେଫେୟାର ହୋଟେଲ ଆଣ୍ଡ ରିସୋର୍ଟର ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ମନୋଜ କୁମାର ଗୌଡ, ଏଟି ସିଜନ୍ସ ଆଣ୍ଡ ଭେକେସନ ଆଇଏଟିଓ ବେଲଗଡିଆ ପ୍ୟାଲେସର ନିର୍ଦ୍ଦେଶିକା ମୃଣାଲିକା ଭଞ୍ଜ ଦେଓ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଡା. ଲେନିନ ମହାନ୍ତି ଓ ପର୍ଯ୍ୟଟନ ନିର୍ଦ୍ଦେଶକ ଆଇଏଏସ ସଚିନ ଆର ଯାଦବ ଇକୋ ରିଟ୍ରିଟ୍‌ କୋଣାର୍କ ଠାରେ ବି୨ବି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏଥିରେ ଆସାମ, ଛତିଶଗଡ, ଦିଲ୍ଲୀ, ଗୋଆ, ଗୁଜରାଟ, ଜମ୍ମୁ-କଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ଉତପ୍ରଦେଶ, ଉତରାଖଣ୍ଡ, ପଶ୍ଚିମବଙ୍ଗ ଆଦି ସହରର ୭୦ ଜଣ କ୍‌ରେତା ଅଂଶଗ୍ରହଣ କରିଥିଲେ । ଏଥିରେ କ୍ରେତା ଏବଂ ବିକ୍ରେତାଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ, ଗଠନମୂଳକ ବି୨ବି ବୈଠକ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

four × 3 =