ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ବୀରମହାରାଜପୁରର ସାମ୍ବାଦିକ ସ୍ୱର୍ଗତ ଶ୍ରବଣ କୁମାର ପ୍ରଧାନଙ୍କ ମା ଦମୟନ୍ତୀ ପ୍ରଧାନଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରଦତ୍ତ ଚାରି ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନର ନିର୍ଦ୍ଦେଶାନାମା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ବୀରମହାରାଜପୁର ଉପଖଣ୍ଡର ଲୋକପ୍ରିୟ ସାମ୍ବାଦିକ ଶ୍ରବଣ ପ୍ରଧାନଙ୍କ ଗତବର୍ଷ ଅଗଷ୍ଟ ମାସରେ ଅସାମୟିକ ଦେହାନ୍ତ ହୋଇଯାଇଥିଲା । ସେ ଦୀର୍ଘ ବର୍ଷ ଧରି ଧରିତ୍ରୀ ସମ୍ବାଦପତ୍ରର ଫଟୋ ଜର୍ଣ୍ଣାଲିଷ୍ଟ ହିସାବରେ ସୂଚାରୁ ରୂପରେ ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ଏହା ସହିତ ବୀରମହାରାଜପୁରର ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଥିଲେ । ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସେ ନିସ୍ୱାର୍ଥପର ଭାବରେ ସହାୟତା ଯୋଗାଇ ଦେଉଥିଲେ । ଏଭଳି ଜଣେ ପରୋପକାରୀ ସାମ୍ବାଦିକଙ୍କ ମୃତ୍ୟୁରେ ବୀରମହାରାଜପୁର ସହରର ଜନସାଧାରଣ ତଥା ଜିଲ୍ଲାର ସମସ୍ତ ସାମ୍ବାଦିକ ଗଭୀର ଦୁଃଖ ପ୍ରକାଶ କରିଥିଲେ । ସେ ଅବିବାହିତ ଥିବାରୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ତାଙ୍କର ବୃଦ୍ଧାମାଆଙ୍କୁ ଓଡ଼ିଶା କର୍ତ୍ତବ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏକକାଳୀନ ଅନୁକମ୍ପାମୂଳକ ସହାୟତା ହିସାବରେ ଚାରି ଲକ୍ଷ ଟଙ୍କା ଆକାଉଣ୍ଟ୍ ଜରିଆରେ ପ୍ରଦାନ କରାଯିବ । ଏହି ଉପଲକ୍ଷେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏହି ସହାୟତା ନିର୍ଦ୍ଦେଶାନାମା ଶ୍ରବଣଙ୍କ ମା ଦମୟନ୍ତୀଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁ, ସମ୍ପାଦକ ବ୍ୟୋମକେଶ ଦାସ, ବୀରମହାରାଜପୁର ସାମ୍ବାଦିକ ସଂଘ ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି, ସାମ୍ବାଦିକ ମୃତ୍ୟୁଞ୍ଜୟ ଶତପଥୀ, ସତ୍ୟବାନ ପୁରୋହିତଙ୍କ ସମେତ ମାନଭଞ୍ଜନ ପୂଜାରୀ, ନିରଞ୍ଜନ ଭୋଇ ତଥା ବିଭାଗୀୟ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତଥା ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ଉଦ୍ୟମ କ୍ରମେ ଏହି ସହାୟତା ରାଶି ଶୀଘ୍ର ପ୍ରାପ୍ତ ହୋଇଥିବାରୁ ମା ଦମୟନ୍ତୀ ଏବଂ ସାମ୍ବାଦିକ ସଂଘ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଥିଲେ ।