ହକି ବିଶ୍ୱକପର ପ୍ରତିଟି ମ୍ୟାଚ ଦେଖିବା ପାଇଁ ପୁରୀ ବେଳାଭୂମିରେ ବ୍ୟବସ୍ଥା

0 101

ପୁରୀ : ଓଡିଶା ଆୟୋଜନ କରୁଛି ୨୦୨୩ ର ପୁରୁଷ ହକି ବିଶ୍ୱକପ । ଏହାକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଗ୍ରହଣ କରିଛି ବିବିଧ କାର୍ଯ୍ୟକ୍ରମ । ଚଳିତ ମାସ ୧୧ ତାରିଖ ଅପରାହ୍ନରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏଥିରେ ବଲିଉଡ କଳାକାର ରଣବୀର ସିଂ, ଦିଶା ପଟାନୀ, ଗାୟକ ପ୍ରିତମ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କ୍ରୀଡା ବିଭାଗ ସୂତ୍ରରୁ ପ୍ରକାଶ ।
ଏହାର ସିଧା ପ୍ରସାରଣ ଏକ ବିରାଟ ଏଲଇଡି ଟିଭି ମାଧ୍ୟମରେ ପୁରୀ ସମୁଦ୍ର କୂଳ ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ଯାହା “ସିଟି ଫେଷ୍ଟ ଇନ୍‌ ଓଲିସ୍‌ ଲ୍ୟାଣ୍ଡ’ ନାମରେ ନାମିତ ହୋଇଛି ସେଠାରେ ବ୍ୟବସ୍ଥା କରାଯାଇଛି । ସେଠାରେ ମଧ୍ୟ ବିଶ୍ୱକପର ଏକ ପ୍ରତିକୃତି ସ୍ଥାପିତ ହୋଇଛି । ଏଥି ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କ୍ରୀଡା ପ୍ରତିଯୋଗିତା, ଫୁଡ ପାର୍କର ଆୟୋଜନ କରାଯାଇଛି । ଅପରପକ୍ଷରେ ଜାନୁଆରୀ ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ସ୍ଥାନରେ ବିଶ୍ୱକପର ସମସ୍ତ ମ୍ୟାଚର ସିଧା ପ୍ରସାରଣ କରାଯିବ । ମ୍ୟାଚର ବିରତି ସମୟରେ ସାଂସ୍କୃତିକ ଓ କ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ସେହିପରି ସମସ୍ତ ବ୍ଲକ, ଏନଏସି ଓ ପଞ୍ଚାୟତମାନଙ୍କରେ ମଧ୍ୟ ଏଲଇଡି ଟିଭି ମାଧ୍ୟମରେ ଉଦଘାଟନ କାର୍ଯ୍ୟକ୍ରମ ଏବଂ ବିଶ୍ୱକପର ସମସ୍ତ ମ୍ୟାଚର ସିଧା ପ୍ରସାରଣର କରାଯିବ । ଆଜି ଜିଲ୍ଲାପାଳ ଶ୍ରୀ ବର୍ମା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କୁମାର ପ୍ରଧାନ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟ ସମୀକ୍ଷା କରିଥିଲେ ।

hiranchal ad1
Leave A Reply

Your email address will not be published.

12 + thirteen =