ଘୁ.ଉଦୟଗିରି: ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ବହୁ ଦିନ ଥିଲେ ମଧ୍ୟ ବିଜୁ ଜନତା ଦଳ ତାର ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ କର୍ମୀ ପରିବର୍ତ୍ତନ କରିବା ସହ ନୂତନ ଟିମ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । କିଛି ଦିନ ତଳେ ପ୍ରଥମେ ଯୁବ ସଂଗଠନର ପୁନର୍ଗଠନ କରାଯିବା ପରେ ସଙ୍ଗଠନ ରାଜ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱ ଓ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ମାନଙ୍କୁ ତୃଣମୂଳସ୍ତରରୁ ରାଜ୍ୟସ୍ତର ଯାଏଁ ବିଭିନ୍ନ ଦାୟିତ୍ୱ ଦେବା ସହ ବର୍ତ୍ତମାନ ମହିଳା ସଂଗଠନକୁ ମଧ୍ୟ ପୁନର୍ଗଠନ କରାଯାଇଛି । ଏହି କ୍ରମରେ ବିଜେଡି ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ମହିଳା ବିଜୁ ଜନତା ଦଳର ସଦସ୍ୟା ତଥା ସ୍ଥାନୀୟ ବ୍ଲକର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲିଲିମା ପ୍ରଧାନ, ନଗର ମହିଳା ବିଜୁ ଜନତା ଦଳର ଏନଏସି କାଉନସିଲର ଶ୍ରୀମତୀ ମୋନାଲିସା ଦଳବେହେରା ଓ ବିଜେଡି ନଗର ନାରୀ ନେତ୍ରୀ କୃତାଞ୍ଜଳି ନାୟକ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ନିଯୁକ୍ତ ହୋଇଥିବା ସୂଚନା ମିଳିଛି । ଏହି ଅବସରରେ ନବନିଯୁକ୍ତ ସମସ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମାନଙ୍କୁ ଗତ କାଲି ଘୁ. ଉଦୟଗିରି ଠାରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ , ଏନଏ ସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ,କାଉନସିଲର, ବିଜୁ ଜନତା ଦଳର ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ଉପାଧ୍ୟକ୍ଷ ଏନ. ଲୁକ ଓ ଘୁ.ଉଦୟଗିରି ବିଜୁ ଜନତା ଦଳର ସମସ୍ତ କର୍ମୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।