ବସଯାତ୍ରୀ ସଚେତନତା କାର୍ଯ୍ୟକ୍ରମ, ଶୁଭାରମ୍ଭ କଲେ ଜିଲ୍ଲାପାଳ

0 84

ପୁରୀ : ବସଯାତ୍ରୀମାନଙ୍କ ନିକଟରୁ ସରକାରୀ ଧାର୍ଯ୍ୟ ଭଡା ଠାରୁ ଢେର ଅଧିକ ଭଡା ନେଇଥିବାରୁ ଯାତ୍ରୀମାନେ ଦୀର୍ଘଦିନ ହେବ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ଏହା କେବଳ ଆମ ପୁରୀ ଜିଲ୍ଲା ସମସ୍ୟା ନୁହେଁ, ବରଂ ଏହା ସମଗ୍ର ଓଡ଼ିଶାର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ସରକାର ଏଥିପ୍ରତି ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଛି । ଏହି ପରିସ୍ଥିତି ଭିତରେ ପୁରୀ ଜିଲ୍ଲାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ତତ୍ୱବାଧାନରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଆୟୋଜିତ ବସଯାତ୍ରୀଙ୍କ ସଚେତନତା ନିମନ୍ତେ ପୁରୀ ଠାରୁ କୋଣାର୍କ ପର୍ଯ୍ୟନ୍ତ ଏକ ମଟର ସାଇକେଲ ଶୋଭାଯାତ୍ରା ଶୁଭାରମ୍ଭ କରାଯାଇଥିଲା । ଏହି ଶୋଭାଯାତ୍ରା ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିଲା ଓ ଏହାକୁ ଜିଲ୍ଲାପାଳ ସମର୍ଥ ବର୍ମା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ସଦର ବିଡ଼ିଓ ସମ୍ବିତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍‌- ଆଟାର ସ୍‌ୱେଚ୍‌ଛାସେବୀ ମାନେ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ପୁରୀ ବସଷ୍ଟାଣ୍ଡ ସମେତ ପୁରୀ କୋଣାର୍କ ରାସ୍ତାରେ ଥିବା ପ୍ରମୁଖ ଛକ ମାନଙ୍କରେ ଲୋକମାନଙ୍କୁ ପ୍ରଚାର ମାଧ୍ୟମରେ ସଚେତନତା କରାଇବା ସହ ଧାର୍ଯ୍ୟଦର ତାଲିକା ସ୍ଥାନୀୟ ଅଞ୍ଚଳରେ ଲଗେଇଥିଲେ । ରାସ୍ତାରେ ଯାତାୟାତ କରୁଥିବା ରୁଟ ବସ୍‌ ଗୁଡିକରେ ଯାତ୍ରୀମାନଙ୍କ ସାମ୍ନାରେ ଧାର୍ଯ୍ୟ ଦର ତାଲିକା ଲଗାଇ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ସାଧାରଣ ଲୋକ ଓ ବସ୍‌ ଯାତ୍ରୀମାନେ ଭୁୟସି ପ୍ରଶଂସା କରିଥିଲେ ।

hiranchal ad1
Leave A Reply

Your email address will not be published.

3 × five =