ପୁରୀ : ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ । ମନ୍ଦିର ଭିତରୁ ଦୁର୍ବୃତ୍ତ ମାନେ ଚୋରି କରିନେଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବା ଦେବୀଙ୍କ ମୂର୍ତ୍ତି । ଏଥିସହ ରୂପା ଅଳଙ୍କାର ମଧ୍ୟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ଆଳପୁର ଗ୍ରାମରେ ଥିବା ଶ୍ରୀ ଶ୍ରୀ ନାରାୟଣ ଦେବ ହିରର୍ଣ୍ଣ୍ୟ ବିଦାରକ ନୃସିଂହ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଆଜି ସକାଳେ ମନ୍ଦିରର ପୂଜକ ଦ୍ୱାର ଫିଟାଇ ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ସମସ୍ତ ମୂର୍ତ୍ତି ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବାସୀମାନେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନାରାୟଣ, ଦୂର୍ଗା, ଚନ୍ଦ୍ରଶେଖର ଓ ନୃସିଂହ ପ୍ରଭୃତି ମୂର୍ତ୍ତି ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି । ପୂର୍ବରୁ ମଧ୍ୟ ଅନେକ ଥର ପୁରୀ ସହର ଓ ସଦର ଅଞ୍ଚଳରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିଲେ ହେଁ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇନାହିଁ । ତେବେ ପୁଣିଥରେ ଏହି ଦୁର୍ବୃତ୍ତମାନେ ମନ୍ଦିରରୁ ଚୋରି କରିଥିବା ବେଳେ ପୋଲିସ କେତେଦୂର ଏମାନଙ୍କୁ ଧରିବାରେ ସକ୍ଷମ ହେଉଛି ତାକୁ ହିଁ ଅପେକ୍ଷା ।