“ହର ଘର ତ୍ରିରଙ୍ଗା’ ଅଭିଯାନକୁ ସାକାର କରିବ ଭାଜପା

0 93

ସମ୍ବଲପୁର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୨୧ ସ୍ୱାଧୀନତା ଦିବସରୁ ୨୦୨୨ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚଳିତ ବର୍ଷକୁ ଚିରସ୍ମରଣୀୟ ଓ ଐତିହାସିକ ଭାବରେ ପାଳନ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଆହ୍ୱାନ ଦେଇଥିଲେ । ଏଥିପାଇଁ ବର୍ଷ ତମାମ ଆଜାଦି କା ଅମୃତ ମହୋତ୍ସବ ନାଁ’ରେ ସରକାରୀ ଓ ବେସରକାରୀ ସ୍ତରରେ ଅନେକ କାର୍ଯ୍ୟକ୍ରମ ଓ ଯୋଜନାମାନ ହାତକୁ ନିଆଯାଇଛି । ମାଁ ଭାରତୀର ସମସ୍ତ ବରପୁତ୍ର, ବୀରପୁତ୍ର, ବଳିଦାନୀଙ୍କ ପୂଜ୍ୟପୂଜାଠୁଁ ଆରମ୍ଭ କରି ଅନେକ ପୁଣ୍ୟଭୂମି ଓ ଐତିହ୍ୟକୁ ଲୋକଲୋଚନକୁ ଆଣିବା ସେଗୁଡିକର ବିକାଶ କରିବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜାଦି କା ଅମୃତ ମହୋତ୍ସବ ପରିପେକ୍ଷୀରେ ଅନେକ ଜନ ମଙ୍ଗଳକାରୀ ଯୋଜନାମାନ ଘୋଷଣା କରି କାର୍ଯ୍ୟାନ୍ୱିତ କରାଯାଇଛି । ଆଜାଦି କା ଅମୃତ ମହୋତ୍ସବ ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର ଘର ତ୍ରିରଙ୍ଗା ନାମରେ ଏକ ଅଭିଯାନ ଘୋଷଣା କରିଛନ୍ତି । ଗତ ମାସର ମନ୍‌ କି ବାତ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ସମୟରେ ମଧ୍ୟ ଏହି ଆହ୍ୱାନକୁ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଅଗଷ୍ଟ ୨ ତାରିଖରୁ ସମସ୍ତ ଦେଶବାସୀ ନିଜ ନିଜ ସାମାଜିକ ଗଣମାଧ୍ୟମର ଉତ୍ସରେ ତ୍ରିରଙ୍ଗାକୁ ପ୍ରୋଫାଇଲ ପିକ୍‌ଚର ଭାବରେ ରଖିବାକୁ ଏବଂ ଅଗଷ୍ଟ ୧୩ ରୁ ୧୫ ଯାଏଁ ସମସ୍ତ ଦେଶବାସୀ ନିଜ ନିଜ ଘରେ ଆମର ଜାତୀୟ ପତାକା ତ୍ରିରଙ୍ଗା ଉଡେଇବା ପାଇଁ ଆହ୍ୱାନ ଦେଇଛନ୍ତି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼.ଜଗତ ପ୍ରସାଦ ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଦେଶବାସୀଙ୍କୁ ଏହି ଅଭିଯାନରେ ସାମିଲ କରିବା ପାଇଁ ପାର୍ଟି ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସମସ୍ତ ଦେଶବାସୀଙ୍କୁ ସଚେତନ ଓ ଜାଗ୍ରତ କରିବା ପାଇଁ ଭାଜପା ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ । ଏଥିପାଇଁ ସ୍ୱତନ୍ତ ଭାବେ ପାର୍ଟିର ରାଷ୍ଟ୍ରୀୟ କମିଟିରୁ ଆରମ୍ଭ କରି ରାଜ୍ୟ କମିଟି, ଜିଲ୍ଲା କମିଟି ଓ ମଣ୍ଡଳ କମିଟି ଗଠନ କରାଯାଇଛି । ଏହି ମର୍ମରେ ସମ୍ବଲପୁର ଭାଜପା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ସଭାପତିତ୍ୱରେ ଦଳୀୟ କାର୍ଯ୍ୟାଳୟରେ ଏହି ଅଭିଯାନ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ଏଥିପାଇଁ ଏକ ୫ ଜଣିଆ ଜିଲ୍ଲା କମିଟି ଓ ସମସ୍ତ ମଣ୍ଡଳରେ ତିନି ଜଣିଆ ମଣ୍ଡଳ କମିଟି ଗଠନ କରାଯାଇଛି । ଆସନ୍ତା ଅଗଷ୍ଟ ୯ ତାରିଖରୁ ୧୧ ତାରିଖ ଯାଏଁ ପାର୍ଟି ପକ୍ଷରୁ ଭିନ୍ନଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯିବ । ଅଗଷ୍ଟ ୧୧ ରୁ ୧୩ ଯାଏଁ ପ୍ରଭାତ ଫେରି ଓ ପ୍ରଥପ୍ରାନ୍ତ ସଭା କରାଯିବ । ଏହି ବୈଠକରେ ଭାଜପା ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଟଙ୍କଧର ତ୍ରିପାଠୀ, ଅନ୍ୟତମ ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଓ ରାମ ଚନ୍ଦ୍ର ମେହେର, କ୍ଷେତ୍ରୀୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା, ଆଶିଷ ହୋତା, ସୁଶୀଲ କର, ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ, ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ, କୃଷକ ମୋର୍ଚ୍ଚା ସଭାପତି, ସମୀର ରଞ୍ଜନ ବାବୁ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ଫିରୋଜ, ଫଣି ଭୂଷଣ ମିଶ୍ର, ପ୍ରକାଶ ପ୍ରଧାନ, ମିଳନ ମହାରଣା ଓ ପ୍ରଭାସିନୀ ଦାଶଙ୍କ ସହ ସମସ୍ତ ଜିଲ୍ଲା ପଦାଧିକାରୀ ଓ ମଣ୍ଡଳ ସଭାପତି ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

20 − 9 =