ସାନ ଭାଇର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

0 70

ବରଗଡ଼: ଛେଳି ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ଗତ ୨୦୧୯ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ମାନ୍ୟବର ବରଗଡ଼ ଅତିରିକ୍ତ ଦୌରାଜଜ୍‌ ସଂଘମିତ୍ରା ଶର୍ମା ଅଭିଯୁକ୍ତ ଫକୀର ଲାକ୍ରାକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅର୍ଥ ଅନାଦେୟ ହେଲେ ଆଉ ଏକବର୍ଷ କାରାଦଣ୍ଡ ଭୋଗିବାକୁ ରାୟ ରେ ଉଲ୍ଲେଖ କରିଛନ୍ତି ।
ଘଟଣାର ବିବରଣୀ ଅନୁଯାୟୀ ଗତ ୨୦୧୯ ମସିହା ଜୁଲାଇ ୩୦ ତାରିଖ ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ତଲାକଟା ଗ୍ରାମର କୁଟୁରୁ ଲାକ୍ରା ତାଙ୍କର ଦୁଇ ପୁଅ ଫକିର ଲାକ୍ରା ଓ କଟି ଲାକ୍ରା ଆମଝରନ୍‌ ଗାଁକୁ ଯାଇଥିଲେ । ସେଠାରୁ କିଛି ଛେଳି ମାଂସ ଆଣିଥିଲେ । ଅପରାହ୍ନ ପ୍ରାୟ ୩ ଟା ସମୟରେ ଘରେ ପହଞ୍ଚିବା ପରେ ବଡଭାଇ ଫକୀର ଲାକ୍ରା ଓ ସାନ ଭାଇ କଟି ଲାକ୍ରା ମଧ୍ୟରେ ଝଗଡା ହୋଇଥିଲା ।ଝଗଡା ସମୟରେ ବଡଭାଇ ଫକୀର ଲାକ୍ରା ଏକ ଧାରୁଆ କଟୁରୀ ସାହାଯ୍ୟରେ ସାନ ଭାଇ କଟିକୁ ଆକ୍ରମଣ କରିବାରୁ ସାନ ଭାଇ କଟିର ଛାତିରେ ଭୀଷଣ ଆଘାତ ଲାଗିଥିଲା । ପରେ ତାକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବୁର୍ଲା ନେବା ବାଟରେ ତାର ମୃତ୍ୟୁ ହୋଇଯାଇଥିଲା । ଘଟଣା ସମ୍ପର୍କରେ ପରବର୍ତ୍ତୀ ଦିନ କଟିର ସ୍ତ୍ରୀ ଚନ୍ଦ୍ରା ଲାକ୍ରା ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଅତାବିରା ଥାନା କେଶ ନମ୍ବର ୧୫୮/୨୦୧୯ ଭାରତୀୟ ପିଙ୍ଗଳ ଧାରା ୩୦୨ରେ ଏକ ମାମଲା ରଜୁ ହୋଇଥିଲା । ଏହି ମାମଲାରେ ୧୩ ଜଣ ସାକ୍ଷ୍ୟ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ମାନ୍ୟବର କୋର୍ଟ ଆସାମୀ ଫକୀର ଲାକ୍ରା କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ଏହି ମାମଲାକୁ ଏପିପି ମନୋଜ କୁମାର ଏକ୍କା ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

17 − 12 =