ନବଜାତ ଶିଶୁପୁତ୍ର ଉଦ୍ଧାର

0 68

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସାପ୍ତାହିକ ବଜାରପଡାଠାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଅଛି । ଖଡ଼ିଆଳ କୃଷି ଫାର୍ମ ନିକଟରେ ଥିବା ନାଳରୁ ଏକ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଖଡ଼ିଆଳ ଏଗାର ନଂ ୱାର୍ଡ(ବଜାର ପଡା)ର ଧରିତ୍ରୀ ଜାଲ ନିଜ ଝିଅ ସହ ଶୌଚ ପାଇଁ ଯାଇଥିବା ବେଳେ ଶିଶୁର କାନ୍ଦିବା ଶୁଣି ପାରିଥିଲେ । ଶିଶୁକୁ ଲାଲ କନା ଗୁଡ଼ାଇ ମୁଣ୍ଡକୁ ଛାଡି ମାଟି ତଳେ ପୋତି ଦେଇଥିବା ଦେଖିବାକୁ ପାଇଥିଲେ । ଶିଶୁକୁ ଉଦ୍ଧାର କରି ଧରିତ୍ରୀ ଘରକୁ ଆଣିଥିଲେ । ନବଜାତ ଶିଶୁ ପୁତ୍ରକୁ ଧରିତ୍ରୀଙ୍କ ଭଉଣୀ ସୁନାଫୁଲ ପୁଞ୍ଜି ସ୍ତନ୍ୟ ପାନ କରାଇଥିଲେ ।ମାମଲା ଖଡ଼ିଆଳ ଥାନାରେ ପହଞ୍ଚିବା ପରେ ଶିଶୁ ପୁତ୍ରକୁ ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା ଓ ବର୍ତ୍ତମାନ ସେ ସୁସ୍ଥ ଅଛି । ଜିଲ୍ଲା ଶିଶୁ ସୁରକ୍ଷା ସମିତି ଖବର ପାଇଲା ପରେ ଖଡ଼ିଆଳ ହସ୍ପିଟାଲ ପହଞ୍ଚି ତଦନ୍ତ କରିଛି । ଅନ୍ୟ ପକ୍ଷରେ ଧରିତ୍ରୀ ଓ ତାଙ୍କ ପରିବାର ଲୋକେ ଶିଶୁପୁତ୍ରକୁ ତାଙ୍କୁ ଦେଇଦେବା ଅଡ଼ି କରି ଡାକ୍ତରଖାନାରେ ପଡି ରହିଛନ୍ତି । ଏନେଇ ନୂଆପଡା ଜିଲ୍ଲା ଶିଶୁ ସୁରକ୍ଷା ସମିତିର ସଭାପତି ଡ଼ଃ ଫନିନ୍ଦମ ସିଂ ଦେଓଙ୍କୁ ପଚାରିବାରୁ ନିୟମ ଅନୁସାରେ ବର୍ତ୍ତମାନ ଶିଶୁ ସୁରକ୍ଷା ସମିତି ନିଜ ଦାୟିତ୍ୱରେ ରଖିବ ଓ ମାସକ ମଧ୍ୟରେ ପ୍ରମାଣ କରି ଛୁଆକୁ ନେବା ପାଇଁ ବାପା ମାଆଙ୍କୁ ସୁଯୋଗ ଦିଆଯିବ । ଯଦି କେହି ଦାବିଦାର ବାହାରିବେ ନାହିଁ ତାହେଲେ ତାଙ୍କୁ ଶିଶୁ ଏଡ଼ପସନ କେନ୍ଦ୍ରରେ ରଖାଯିବ ଓ ତାଙ୍କୁ ପୌଷ୍ୟ ପୁତ୍ର କରିବା ପାଇଁ ନୋଟିସ ଜାରି କରାଯିବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 5 =