ରଥ ଖଳା ଚଳଚଞ୍ଚଳ : ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

0 306

ପୁରୀ : ପ୍ରବଳ ଗୁଳୁଗୁଳି ଗରମକୁ ଖାତିର ନ କରି ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ ।ଗତକାଲି ସୁଦ୍ଧା ତିନିରଥର ପୋଲ ଗୟଳ ଏବଂ ଛନ୍ଦା ଗୟଳ ପଡିଥିଲା । ଆଜି ତିନିରଥର ମୋଟ ୪୪ ଗୋଟି ‘ଯୋଖା’ ଫିଟିଙ୍ଗ କରାଯାଇ ଅଛି । ତାଳଧ୍ୱଜ ରଥରେ ୧୬ ଟି, ଦର୍ପଦଳନ ରଥରେ ୧୨ ଟି ଏବଂ ନନ୍ଦିଘୋଷ ରଥରେ ୧୬ ଟି ଯୋଖା ଫିଟିଙ୍ଗ ହୋଇଅଛି । ଏହି ଯୋଖା ଗୁଡିକ ରଥର ଚତୁଃପାର୍ଶ୍ୱ କୋଣ ମାନଙ୍କରେ ଫିଟିଙ୍ଗ କରାଯାଇଛି । ଏହି ଯୋଖା ରଥର ଅଖ,କୁଡୁକା, ନିରାଡ଼ି ଏବଂ ଗୟଳକୁ ବାନ୍ଧି ରଖିବା
ପାଇଁ ଯୋକା ଗୁଡିକରେ ମାପ ପ୍ରକାରେ କାପ କରାଯାଇ କଣ୍ଟା ବିନ୍ଧ ସହ କଣ୍ଟା ପଡି ସେଟିଙ୍ଗ କରାଯାଇ ଅଛି । ଏଥିସହ ଆଜି ତିନିରଥର ପାଞ୍ଚୋଟି ଲେଖାଁଏ ‘ଜଗତ ପୃଷ୍ଠ ଶେଣୀ’ ଚଉପଟ କାର୍ଯ୍ୟ ଶେଷ ହୋଇଛି । ଏଥିସହ ତିନିରଥର ଦୁଇଟି ଲେଖାଁଏ ଧୂଳି ଦଣ୍ଡା ନିର୍ମାଣ ଶେଷ ହେବାସହ ନନ୍ଦିଘୋଷ ରଥ, ତାଳଧ୍ୱଜ ରଥର ଦୁଇଟି ଲେଖାଁଏ ଏବଂ ଦର୍ପଦଳନ ରଥର ତିନୋଟି “ଢମକ’ ନିର୍ମାଣ ଶେଷ ହିଇଛି ।
ତିନିରଥର “ଚନ୍ଦ୍ରଶାଳୀ’ ର ଅଁଳା ନିର୍ମାଣ ପାଇଁ ଆଜି ରଥ ଆମୀନ ତିନି ରଥ ଚାଳିକୁ ୧୨ ଫୁଟିଆ କଞ୍ଚା ମହି କାଠ ଯୋଗାଇ ଥିଲେ । ସେଗୁଡିକର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।
ତିନିରଥର ରୂପକାର ସେବକ ମାନେ ନାଟ ଗୋଡରେ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ତିନି ରଥର ଓଝା ସେବକ ମାନେ ତିନି ରଥର ପାଇଁ ଆବଶ୍ୟକ ଯୋଖା କଣ୍ଟା ନିର୍ମାଣ ସାରି ଯୋଗାଇବା ପରେ ତିନି ରଥର ଭୂଇଁ ପାଇଁ ବିଡ଼ିଆ କଣ୍ଟା, ପୋଟକ ଓରା କଣ୍ଟା ନିର୍ମାଣ କରୁଛନ୍ତି । ତିନିରଥର ପ୍ରଥମ ଭୂଇଁ ପ୍ରେମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

hiranchal ad1
Leave A Reply

Your email address will not be published.

two + seven =