ଭୁବନେଶ୍ୱର : ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀଙ୍କର ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୬୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଶ୍ରୀ ସେଠୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି ।
୧୯୬୧ ମସିହା ଜୁନ ୫ରେ ସେ ଜନ୍ମଗ୍ରହଣ କରିଥିଲେ । ରାଜନୀତି ସହ ସେ ସାମ୍ବାଦିକତା ମଧ୍ୟ କରୁଥିଲେ । ବିଶେଷ ଖବର ନାମକ ଏକ ସାପ୍ତାହିକ ପତ୍ରିକାରେ ସେ ସହ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ବିଜେପିର ଭଦ୍ରକ ଜିଲ୍ଲା ସଭାପତି, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ, ଭାରତୀୟ ଜନତାପାର୍ଟି ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ, ବିଜେପିର ଜାତୀୟ ପରିଷଦ ସଭ୍ୟ ଆଦି ପଦବୀରେ ରହି ସେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ସେ ସାହିତ୍ୟ ପତ୍ରିକାର ସମ୍ପାଦନା କରିବା ସହ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।
୨୦୦୦ ମସିହାରେ ସେ ଚାନ୍ଦବାଲି ସଂରକ୍ଷିତ ଆସନରୁ ପ୍ରଥମ ଥର ପାଇଁ ବାଜିମାତ କରିଥିଲେ । ୨୦୧୯ରେ ସେ ଧାମନଗରରୁ ବାଜିମାତ କରିବା ସହ ବିରୋଧୀ ଦଳର ଉପନେତା ହୋଇଥିଲେ ।