ଧାନ ବିକ୍ରିବଟା ହେଉନଥିବାକୁ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଚାଷୀ

0 77

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ତାମ୍ପରକଇଠା ସୋସାଇଟିର କେତେକ ଚାଷୀଙ୍କ ଧାନ ବିକ୍ରିବଟା ହେଉନଥିବାକୁ ନେଇ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ତାମ୍ପରକଇଠା ସୋସାଇଟି ବା ପ୍ୟାକ୍ସର ସଭାପତି ଜି.ଶ୍ରୀଧର ନାଇଡୁଙ୍କ ନେତୃତ୍ୱରେ ୩୦ରୁ ଉଦ୍ଧ୍ୱର୍ ଚାଷୀ ଖରିଫ ଅମଳର ଧାନ ଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇନଥିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ସହ ଜିଲ୍ଲାପ୍ରଶାସନ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବାର ଜଣାପଡିଛି । ଚାଷୀମାନେ ଜଣାଇଛନ୍ତି ଯେ, ତାମ୍ପରକଇଠା ସୋସାଇଟି ବା ପ୍ୟାକ୍ସରେ ୨୨୪ ଚାଷୀଙ୍କ ନାମ ପଞ୍ଜିକୃତ ହୋଇ ଟୋକନ ପ୍ରଦାନ କରାଯାଇଥିଲା । ହେଲେ ଏଥି ମଧ୍ୟରୁ ପ୍ରାୟ ୩୩ଗୋଟି ଟୋକନ ବର୍ତ୍ତମାନ ଲାପ୍ସ ହେବାକୁ ଯାଉଛି । ଟୋକନ ତାରିଖ ଅନୁଯାଇ ମିଲର ପାଖରେ ଧାନ ଜମା କରିବା କଥା ହେଲେ ଧାର୍ଯ୍ୟ ତାରିଖ ପାଖେଇ ଯାଇଥିବା ବେଳେ ମିଲରମାନେ ଧାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଫଳରେ ଚାଷୀମାନେ ଧାନ ବିକ୍ରି କରି ଟଙ୍କା ପାଇବା ଏକ ପ୍ରକାର ପୂର୍ଣ୍ଣଛେଦ ପଡିଥିବାକୁ ନେଇ ଚିନ୍ତିତ ରହିଛନ୍ତି । ଏ ନେଇ ଚଳିତ ମାସ ୬ ତାରିଖରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ ମଧ୍ୟ କରାଯାଇଥିଲା । ହେଲେ କୌଣସି ସୁଫଳ ମିଳିନଥିବାରୁ ଆଜିପୁଣି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଚାଷୀମାନେ । ଏହି ସମସ୍ୟାର ସମାଧାନ କରିବା ପାଇଁ ଦାବି କରିଛନ୍ତି । ଅପରପକ୍ଷରେ ଜିଲ୍ଲାଯୋଗାଣ ବିଭାଗ ପକ୍ଷରୁ ଏହି ଚାଷୀମାନଙ୍କ ଧାନ ବିକ୍ରି ନିମନ୍ତେ ଟୋକନ ଇସ୍ୟୁ କରାଯାଇଥିଲା । ହେଲେ ମିଲରମାନେ ଏହି ଧାନ ଗୁଡିକୁ ବେସରକାରୀ ଦରରେ କ୍ରୟ କରିବୁ ବୋଲି ଚାଷୀମାନଙ୍କୁ ଜଣାଇଥିଲେ । ଏ ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ଅଭିଯୋଗ ହେବାରୁ ଏହି ଚାଷୀମାନଙ୍କ ଧାନ ସରକାରୀ ଧାର୍ଯ୍ୟ ମୂଲ୍ୟରେ କ୍ରୟ କରାଯିବ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି । ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ କରାଯାଇଥିଲେ ମଧ୍ୟ ଗୋଷାଣି ବ୍ଲକ ତାମ୍ପରକଇଠା ଅଞ୍ଚଳରୁ କାଶୀନଗର ବ୍ଲକର ୪ଗୋଟି ମିଲରଙ୍କୁ ଧାନ ବିକ୍ରିପାଇଁ ଅନୁମତି ଦେଇଥିବାରୁ ଏହା ପୁଣି ଆଉ ଗୋଟିଏ ସମସ୍ୟା ଉଭା ହୋଇଛି ବୋଲି ଚାଷୀମହଲରେ ଆଲୋଚନା ହେଉଛି । ସୂଚନା ଯୋଗ୍ୟ ଯେ, ତାମ୍ପରକଇଠା ଗ୍ରାମାଞ୍ଚଳରୁ କାଶୀନଗର ବ୍ଲକରେ ଥିବା ଧାନମିଲ ଗୁଡିକୁ ଦୂରତା ପ୍ରାୟ ୨୦କିମିରୁ ଉଦ୍ଧ୍ୱର୍ ବାଟ ହେବ । ତେଣୁ ଏହି ଅଞ୍ଚଳର ଚାଷୀମାନେ ୨୦କିମି ଦୂରରେ ଅବସ୍ଥିତ ମିଲକୁ ନେବାପାଇଁ କାଠିକରପାଠ ହେବ ବୋଲି ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

2 + 10 =