ଆଉ ନାହାନ୍ତି ପ୍ରସିଦ୍ଧ ଫୁଟବଲ ଖେଳାଳି ଓ ସଙ୍ଗୀତଜ୍ଞ ଅରୁଣ ପ୍ରସନ୍ନ ସେଠ

0 88

ସମ୍ବଲପୁର: ଏଠାକାର ପ୍ରସିଦ୍ଧ ଫୁଟବଲ ଖେଳାଳି, ସଙ୍ଗୀତଜ୍ଞ ଓ ଲୋକପ୍ରିୟ ସାମାଜିକ କାର୍ଯ୍ୟକର୍ତ୍ତା ଅରୁଣ ପ୍ରସନ୍ନ ସେଠ ଆଉ ଆମ ଗହଣରେ ନାହାନ୍ତି । ଆଜି ପୂର୍ବାହ୍ନ ପ୍ରାୟ ୯.୩୦ ସମୟରେ ସ୍ଥାନୀୟ କୁଞ୍ଜେଲପଡା ସ୍ଥିତ ନିଜ ବାସଭବନରେ ସେ ୯୫ ବର୍ଷ ବୟସରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସବୁଠାରୁ ବିଡ଼ମ୍ବନାର ବିଷୟ ଯେ ଗତକାଲି ତାଙ୍କର ଜନ୍ମଦିନ ଥିଲା ଓ ଆଜି ୯୫ ତମ ବର୍ଷରେ ପଦାର୍ପଣ କରିବା ସହିତ ହଠାତ୍‌ ସେ ଆରପାରିକୁ ଚାଲିଗଲେ । ଜଣେ ପ୍ରତିଷ୍ଠିତ ଫୁଟବଲ ଖେଳାଳି ରୂପେ ସେ ସର୍ବଭାରତୀୟ ସ୍ତରୀୟ ଡୁରାଣ୍ଡ କପରେ ଖେଳିବା ପାଇଁ ଓଡ଼ିଶା ରାଜ୍ୟକୁ ପ୍ରତିନିଧିତ୍ୱ କରିଥିଲେ । ଏହା ବ୍ୟତୀତ ସଙ୍ଗୀତ କଳା କ୍ଷେତ୍ରରେ ତାଙ୍କର ବେଶ ସୁନାମ ରହିଥିଲା ଓ ଅନେକ ଯୁବା ପ୍ରତିଭାଙ୍କୁ ସଙ୍ଗୀତ ଶିକ୍ଷା ପ୍ରଦାନକରି ପ୍ରତିଷ୍ଠିତ କରାଇବା ପାଇଁ ଚିର ସ୍ମରଣୀୟ ହୋଇ ରହିବେ । ଯଦିଓ “ତାର ଶେହନାଇ’ (ବେହେଲା) ତାଙ୍କର ପ୍ରିୟ ବାଦ୍ୟ ଯନ୍ତ୍ର ଥିଲା, ତଥାପି ଆଉ ଅନେକ ବାଦ୍ୟ ଯନ୍ତ୍ରରେ ତାଙ୍କର ସିଦ୍ଧ ହସ୍ତ ଥିଲା । ସଙ୍ଗୀତ କଳାରେ ତାଙ୍କର ଏପରି ଗଭୀର ପ୍ରବୀଣତା ଥିଲା ଯେ ସେ ବିଭିନ୍ନ ସମୟରେ ସେ ଶାସ୍ତ୍ରୀୟ ସଙ୍ଗୀତ ସହିତ ଲୋକ ସଙ୍ଗୀତ ମଧ୍ୟ ପ୍ରସ୍ତୁତ କରିବାରେ ସକ୍ଷମ ଥିଲେ । ଆକାଶବାଣୀ ଓ ଦୂରଦର୍ଶନ ସହିତ ଅନେକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । ସ୍ଥାନୀୟ ରାଜଘାଟ ଶ୍ମଶାନରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇ ଯାଇଛି ।

hiranchal ad1
Leave A Reply

Your email address will not be published.

seven − one =