ଗଜପତିରେ ଶିଶୁ ଶ୍ରମିକ ଉଦ୍ଧାର

0 106

ପାରଳାଖେମୁଣ୍ଡି : ଆଜି ଜିଲ୍ଲା ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଶିଶୁ ମଙ୍ଗଳ ସମିତି, ସିସିଡ଼ି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ପୋଲିସ୍‌ ପ୍ରଶାସନର ମିଳିତ ସହଯୋଗରେ ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ଦୋକାନ, ଗେରେଜ୍‌, ଭୋଜନ ହୋଟେଲ୍‌ରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଲୋକନାଥ ପଣ୍ଡା, ଅତିରିକ୍ତ ଜିଲ୍ଲା ଶ୍ରମି ଅଧିକାରିଣୀ ଭାରତୀ ବେହେରା, ଶିଶୁ ମଙ୍ଗଳ ସମିତିର ସଭ୍ୟା ମମତା ଶତପଥି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପର୍ଯ୍ୟବେକ୍ଷଣ ଅଧିକାରୀ ଜୟପ୍ରକାଶ ବାଡ଼ାତିଆ, ଏ.ଏସ୍‌.ଆଇ କେ. କୁମାର ଓ ସିସିଡ଼ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଜିଲ୍ଲା ସଂଯୋଜକ ବିଜୟ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଚଢ଼ାଉ ବେଳେ ରାଜଦାଣ୍ଡ ସ୍ଥିତ ୟୁନିକ ହୋଟେଲ୍‌ରୁ ଜଣେ ନାବାଳକ ଓ ଜଣେ ନାବାଳିକା ଉଦ୍ଧାର ହୋଇଥିଲା ବେଳେ ନୂଆ ବସଷ୍ଟାଣ୍ଡ ସ୍ଥିତ କେ. ଦିଲିପ ମୋଟର ଗେରେଜ୍‌ରୁ ଜଣେ ନାବାଳକ ଉଦ୍ଧାର ହୋଇଥିଲା । ଉକ୍ତ ନାବାଳକମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିଲା ବେଳେ ଅନ୍ୟଜଣେ ଗଜପତିର ପାରଳାଖେମୁଣ୍ଡିର ଓ ନାବାଳିକା ଜଣକ ରାୟଗଡ଼ ବ୍ଲକର ବୋଲି ସୂଚନା ରହିଛି ।
ଉଦ୍ଧାର ହୋଇଥିବା ନାବାଳକ ଓ ନାବାଳିକା ମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆଗରେ ଉପସ୍ଥାପନ କରାଯାଇ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶ୍ରୀ ଜଗନ୍ନାଥ ନିକେତନ, ଆର୍‌.ସୀତାପୁର ଓ ପ୍ରାଉଡ଼, ବି.ସୀତାପୁର ଠାରେ ଥଇଥାନ କରାଯାଇଛି ।
ସେମାନଙ୍କର କାଗଜପତ୍ର କୁ ଯାଞ୍ଚ କଲାପରେ ଉକ୍ତ ନାବାଳକ ଓ ନାବାଳିକା ମାନେ କେଉଁ ଶିକ୍ଷା ତଥା ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିବା ନିମନ୍ତେ ଆଗ୍ରହ ସେମାନଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନର ଚେଷ୍ଟା ଜାରି ରଖିଛି ।
ଏପରି ବେଆଇନ ଭାବେ ନାବାଳକ ଓ ନାବାଳିକା ମାନଙ୍କୁ ହୋଟେଲ୍‌, ଗେରେଜ କାମରେ ସାମିଲ କରୁଥିବାରୁ ଉକ୍ତ ହୋଟେଲ୍‌ ଏବଂ ଗେରେଜ୍‌ ମାଲିକଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ରହିଛି ।

hiranchal ad1
Leave A Reply

Your email address will not be published.

four × 5 =