ସୁବର୍ଣ୍ଣପୁରର ନାଟ୍ୟ ପରମ୍ପରା ଖୁବ ପ୍ରାଚୀନ, ପ୍ରଥମ ରାଜ୍ୟସ୍ତରୀୟ ପୁରନ୍ଦର ନାଟ ମହୋତ୍ସବ ଉଦଘାଟିତ

0 130

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ରୟାଲ ପଡିଆ ମୁକ୍ତମଞ୍ଚରେ ବିଶିଷ୍ଟ ବାଦ୍ୟକାର ତଥା କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିରେ ପ୍ରଥମ ପୁରନ୍ଦର ନାଟ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିନରେ ୨ଟି କୋଶଲି – ସମ୍ବଲପୁରୀ ନାଟକ ମଞ୍ଚସ୍ଥ ହୋଇଥିବାବେଳେ ଦର୍ଶକଙ୍କ ମନ ମୋହିଛି । କାରୁଣ୍ଡ କଳାମଞ୍ଚ ଭବାନୀପାଟଣାର “ଝରକା” ଏବଂ ପଦମପୁରର ଲୁ ପକ୍ଷରୁ ପରିବେଷିତ “ରଙ୍ଗଭୂମି’ ନାଟକ ଭିନ୍ନ ଭିନ୍ନ ସାମାଜିକ ବାର୍ତ୍ତାକୁ ନେଇ ପରିପୃଷ୍ଟ ହୋଇ ଉଭୟ ନାଟକ ଗତିଶୀଳ ହୋଇଛି । ନିର୍ଦ୍ଦେଶକ ପ୍ରଦୀପ ଡି. ମାଝୀଙ୍କ ନିର୍ଦ୍ଦେଶନାରେ ପରିବେଷିତ ନାଟକ ଝରକାରେ ମଣିଷ ପ୍ରଥମେ ନିଜେ ନିଜକୁ ଦେଖିବା ସହ ପ୍ରତିଟି ମୁହୂର୍ତ୍ତରେ ନିଜ ପରୀକ୍ଷାଗାରରେ ନିଜକୁ ପରଖିବା ଜରୁରୀ ବୋଲି ନାଟକ ଜରିଆରେ ପ୍ରଦର୍ଶିତ ହୋଇଛି । ମଣିଷ ଅନ୍ୟକୁ ଦେଖିବା ପୂର୍ବରୁ ନିଜର ବିବେକରୂପୀ ଝରକାକୁ ଦେଖିବା ଜରୁରୀ ବୋଲି ଏହି ନାଟକରେ ବାର୍ତ୍ତା ରହିଛି । ଠିକ ସେହିପରି, ପଦମପୁରର ମୂର୍ଦ୍ଧନ୍ୟ ନାଟ୍ୟସଂସ୍ଥା ଲୁ’ ର କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ଏବଂ ନିର୍ଦ୍ଦେଶକ ଜଗନ୍ନାଥ ସେଠଙ୍କ ନିର୍ଦ୍ଦେଶିତ ରଙ୍ଗଭୂମି ନାଟକରେ ମଣିଷର ମଣିଷପଣିଆ ଏବଂ ମଣିଷ ଭିତରେ ଥିବା ଦେବଗୁଣକୁ ଉଜ୍ଜୀବିତ ରଖି ସମାଜ ପ୍ରେରିତ କରିବାକୁ ନାଟକର ମୁଖ୍ୟ ନାୟକ ସୁରେ ଚରିତ୍ର ମାଧ୍ୟମରେ ବାର୍ତ୍ତା ଦିଆଯାଇଛି । ଏହି ନାଟ ମହୋତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଓ ଅଞ୍ଜଳିନା ପ୍ରଧାନ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ବର୍ଷିୟାନ କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିଚାରଣ ପୂର୍ବକ ସୁବର୍ଣ୍ଣପୁରର ନାଟ୍ୟ ପରମ୍ପରା ଖୁବ ପୁରୁଣା ଓ ବଳିଷ୍ଠ ବୋଲି କହିଥିଲେ । ଉଦଘାଟନୀ ପର୍ବରେ ନାଟକ ମହୋତ୍ସବର ମୁଖ୍ୟ ସଂଯୋଜକ ନାଟ୍ୟଶ୍ରୀ ଗଦାଧର ବାରିକ,ସମ୍ପାଦକ ଦିଲୀପ ପାତ୍ର, କୋଷାଧ୍ୟକ୍ଷ ନିଶାନ୍ତ ମହାନ୍ତି,ସ୍ୱର୍ଗତ ପୁରନ୍ଦର ବାରିକଙ୍କ ତିନି ପୁଅ ଆନନ୍ଦ ବାରିକ,ସାନନ୍ଦ ବାରିକ ଓ ଅରବିନ୍ଦ ବାରିକ ପ୍ରମୁଖ କାର୍ଯ୍ୟକର୍ତ୍ତା ସାମିଲ ହୋଇ ସ୍ୱର୍ଗତ ପୁରନ୍ଦର ବାରିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପୁରନ୍ଦର ବାରିକ ସ୍ମୃତି କମିଟି ପକ୍ଷରୁ ଆଜି ଠାରୁ ଆରମ୍ଭ ହୋଇଥିବା ନାଟକ ମହୋତ୍ସବ ୩ଦିନ ଧରି ହେବାକୁ ଥିବାବେଳେ ପଶ୍ଚିମ ଓଡିଶାର ପ୍ରମୁଖ ୮ଟି ନାଟ୍ୟ ସଂସ୍ଥା ପକ୍ଷରୁ ନାଟକ ପରିବେଷିତ ହେବ । ଶେଷରେ ନିଶାନ୍ତ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 1 =